ବୌଦ୍ଧ: ପାଟ୍ରୋଲିଂ ବେଳେ ବୌଦ୍ଧରେ ବନ ବିଭାଗ କର୍ମଚାରୀଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ 8 ଦିନ ବିତିଗଲାଣି । କିନ୍ତୁ ଏନେଇ ପୋଲିସର ତଦନ୍ତ ଆଗେଇ ପାରି ନଥିବାରୁ ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ପୋଲିସର ତଦନ୍ତକୁ ନାପସନ୍ଦ କରି ଆସନ୍ତା 11 ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
ବନ ବିଭାଗର ପେଟ୍ରୋଲିଂ ସମୟରେ ହୋଇଥିବା ଫାୟାରିଂ ଘଟଣାକୁ ଇତିମଧ୍ୟରେ 8 ଦିନ ବିତିଗଲାଣି । କିନ୍ତୁ ଏହାକୁ ନେଇ ଆଜି ପର୍ଯ୍ୟନ୍ତ ସସ୍ପେନ୍ସ ଲାଗି ରହିଛି । ବନ କର୍ମଚାରୀଙ୍କ ଉପରେ ଗୁଳିମାଡ ଘଟଣା ଜିଲ୍ଲାରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ଓଡିଶା ଅଣଗେଜେଟେଡ ବନ ସେବା ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଆସନ୍ତା 10 ତାରିଖରେ ଏହାର ସ୍ପଷ୍ଟୀକରଣ ଦିଆନଗଲେ ଜିଲ୍ଲାର ସମସ୍ତ ବନ କର୍ମଚାରୀ କାର୍ଯ୍ୟ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଗତ 31 ତାରିଖ ମଧ୍ୟରାତିରେ ବୌଦ୍ଧ ଜିଲ୍ଲା ବଘିଆପଡା ନିକଟସ୍ଥ ଖଲିଆପାଲି ଛକ ନିକଟରେ ବନ ବିଭାଗର ପାଟ୍ରୋଲିଂ ଗାଡି ଉପରେ ପ୍ରାୟ 5 ରାଉଣ୍ଡ ଫାୟାରିଂ ହୋଇଥିଲା । ଗୁଳିକାଣ୍ଡରେ ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ । ବୌଦ୍ଧର ସହକାରୀ ବନ ସଂରକ୍ଷକ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଏହି ଘଟଣାରେ ବୌଦ୍ଧ ଥାନାରେ ବନ ବିଭାଗ ପ୍ରଥମେ FIR ଦେଇଥିବା ବେଳେ ଗତ ଚାରି ଦିନ ପୂର୍ବରୁ ଜଣେ ଆହତ କର୍ମୀ ସୁସ୍ଥ ହେବା ପରେ ଗୁଳିକାଣ୍ଡ ପଛରେ ପୋଲିସର ହାତ ଥିବା ସିଧାସଳଖ ଅଭିଯୋଗ କରିଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସ ଏହାର ତଦନ୍ତ କରୁଥିବା ବେଳେ ତଦନ୍ତର ପ୍ରକ୍ରିୟାକୁ ନେଇ ବନ କର୍ମଚାରୀ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।