ବୌଦ୍ଧ: ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଏଣିକି କଠୋର ଆଭିମୁଖ୍ୟ ଗ୍ରହଣ କରିବ ଜିଲ୍ଲା ବନ ବିଭାଗ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତଥା ଜନସଚେତନତା ଅଭାବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟପ୍ରାଣୀଙ୍କ ଶିକାର ବଢିବାରେ ଲାଗିଛି । ଏହା ବିରୋଧରେ ବର୍ତ୍ତମାନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରି ଶିକାରୀଙ୍କୁ ହିଁ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରି ଏଥିରେ ସଫଳତା ପାଇବାରେ ଲାଗିଛି ।
ଆଜି (ରବିବାର) ବନ୍ୟଜନ୍ତୁ ସପ୍ତାହର ଶେଷ ଦିନରେ ବନ ବିଭାଗ ପକ୍ଷରୁ ଜିଲ୍ଲାର ବୀରନରସିଂହପୁର ନର୍ସରୀଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଦୀର୍ଘ ଦିନ ଧରି ମହାନଦୀରେ ରହିଥିବା ଘଡିଆଳ କୁମ୍ଭୀରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା କରଡ଼ି ଗ୍ରାମରବନ ସୁରକ୍ଷା ସମିତି ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଜିଲ୍ଲାର ବିଭିନ୍ନ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କ ଉପରେ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡିଥିବା ବେଳେ ବନ ବିଭାଗର ତ୍ଵରିତ ପଦକ୍ଷେପ ଯୋଗୁଁ ଅନେକ ମାଫିଆ ଓ ଶିକାରୀଙ୍କୁ ଧରିବାରେ ସଫଳତା ବନ ବିଭାଗ ପାଇଛି । ପାଞ୍ଚଟି ବନାଞ୍ଚଳକୁ ନେଇ ଗଠିତ ବୌଦ୍ଧ ବନଖଣ୍ଡ ପକ୍ଷରୁ ଏଣିକି ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଶିକାରୀମାନେ ବେଶ ସକ୍ରିୟ ହୋଇ ଉଠିଥିବା ବେଳେ ବର୍ତ୍ତମାନ ଏଭଳି ବେଆଇନ କାର୍ଯ୍ୟ ସହ ଜଡିତ ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।