ଓଡିଶା

odisha

ETV Bharat / state

କିଆକଟାରେ ବାଘ ଭିଡିଓ ଭାଇରାଲ ଘଟଣା, ଓଡ଼ିଶାର ନୁହେଁ ମହାରାଷ୍ଟ୍ରର - ବୌଦ୍ଧ ଖବର

ବୌଦ୍ଧ କିଆକଟାରେ ବାଘ ଯାତାୟାତ କରୁଥିବା ଭାଇରାଲ ଭିଡିଓ ଘଟଣା । ଏହା ଓଡ଼ିଶାର ନୁହେଁ ବରଂ ମହାରାଷ୍ଟ୍ରର ଭିଡିଓ କହିଲା ବନବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 13, 2023, 10:14 PM IST

କିଆକଟାରେ ବାଘ ଭିଡିଓ ଭାଇରାଲ ଘଟଣା

ବୌଦ୍ଧ:ଜିଲ୍ଲାର ରେଢାଖୋଲ ରାସ୍ତାରେ କିଆକଟା ପନ୍ଥେଇ ନିକଟରେ ୫ଟି ମହାବଳ ବାଘ ଓ ଛୁଆ ରାସ୍ତା ଅତିକ୍ରମ କରୁଥିବା ଭିଡିଓ ଭାଇରାଲ ଘଟଣା । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଥିବା ବେଳେ ଏହା ମିଥ୍ୟା ଭିଡିଓ ବୋଲି ଜଣାପଡ଼ିଛି । ଏହା ଓଡ଼ିଶାର ଭିଡିଓ ନୁହେଁ ବରଂ ଏହା ମହାରାଷ୍ଟ୍ରର ଏକ ପୁରୁଣା ଭିଡିଓ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । ଜିଲ୍ଲାରେ ଏଭଳି ମିଥ୍ୟା ଭିଡିଓ ବାରମ୍ବାର ଭାଇରାଲ ହେଉଥିବାକୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗତ ସପ୍ତାହରେ ଗୌଡଦେଇ ନିକଟସ୍ଥ ଆଇଟିଆଇ କଲେଜ ପାଚେରୀରେ ଗତ ସପ୍ତାହରେ ଏକ କଲରାପତରିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଥିବା ବେଳେ ତାହା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି ଜଣାପଡିଥିଲା । ଏହାପରେ ଗତ ମଙ୍ଗଳବାର ବୌଦ୍ଧରୁ ରେଢାଖୋଲ ରାସ୍ତାରେ କିଆକଟା ପନ୍ଥେଇ ନିକଟରେଆଉ ୫ଟି ମହାବଳ ବାଘର ଭିଡିଓ ଅଞ୍ଚଳରେ ବେଶ ଆତଙ୍କ ଖେଳାଇଥିଲା । ଚାରୋଟି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଏଭଳି ଭିଡିଓ ରେକଡ଼ିଂ କରାଯାଇଥିବା ନେଇ କୁହାଯାଉଥିବା ବେଳେ ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବର୍ତ୍ତମାନ ସୂଚନା ମିଳିଛି ।

ଏହା ବି ପଢନ୍ତୁ- ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ବଢୁଛି ବନ୍ୟଜନ୍ତୁ ଶିକାର, ଆକ୍ସନ ମୁଡରେ ବନ ବିଭାଗ

ବାରମ୍ବାର ଏଭଳି ବିଭ୍ରାନ୍ତିକର ଭିଡିଓ ସାଧାରଣ ଲୋକଙ୍କୁ ଭୟଭୀତ କରୁଥିବା ବେଳେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଚର୍ଚ୍ଚା ହେଉଛି । ଖବର ସମ୍ପର୍କରେ ଆମ ଇଟିଭି ଭାରତ ଟିମ ଉକ୍ତ ସ୍ଥାନରେ ପହଞ୍ଚି ସେଠାକାର ସ୍ଥିତି ପରଖିଥିଲା । ବୌଦ୍ଧ ଜିଲ୍ଲାର ସୀମାନ୍ତ ସହିତ ସମ୍ବଲପୁର, ସୋନପୁର ଓ ଅନୁଗୋଳ ଜିଲ୍ଲା କିଆକଟା ପଞ୍ଚାୟତର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଛି । ସେଠାରେ ହାତୀ, କୁଟୁରା, ହରିଣ, ଭାଲୁ ଭଳି ବନ୍ୟଜନ୍ତୁଙ୍କ ଗତିବିଧି ଦୀର୍ଘ ବର୍ଷ ହେଲା ରହିଆସିଛି । କିନ୍ତୁ ହଠାତ ମଙ୍ଗଳବାର ରାତିରେ ୫ଟି ଛୋଟ ବଡ ମହାବଳ ବାଘ ସେଠାରେ ରାସ୍ତା ଅତିକ୍ରମ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

ଯେଉଁ ଅଞ୍ଚଳ ଦେଇ ମହାବଳ ଯାତାୟାତ କରିଥିଲେ ତା' ନିକଟରେ ଥିବା ଏକ ମହିମା ଆଶ୍ରମରେ ଆମ ଇଟିଭି ଭାରତ ଟିମ ପଚରାଉଚରା କରିବା ସହିତ ସ୍ଥାନୀୟ ବନ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲୁ । ଏଠାରେ ଦୀର୍ଘ ବର୍ଷ ଧରି ରହୁଥିବା ସାଧୁ ସନ୍ନ୍ୟାସୀମାନେ ଏଭଳି ଘଟଣାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଥିଲେ । କିଆକଟାର ବନ କର୍ମଚାରୀମାନେ ମଧ୍ୟ ମହାବଳ ବାଘ ବିଚରଣ କିମ୍ବା ଉପସ୍ଥିତିକୁ ଗୁଜବ ବୋଲି କହିଛନ୍ତି । ଭିଡିଓ ସମ୍ପର୍କରେ ବନ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଏହାକୁ ଅସ୍ବୀକାର କରି ଏହା ଓଡ଼ିଶାର ଭିଡିଓ ନୁହେଁ ବରଂ ଏହା ମହାରାଷ୍ଟ୍ରର ଏକ ପୁରୁଣା ଭିଡିଓ ବୋଲି ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବାରମ୍ବାର ଏଭଳି ବନ୍ୟଜନ୍ତୁଙ୍କ ସମ୍ପର୍କରେ କାହିଁକି ଏଭଳି ଭିଡିଓ ଭାଇରାଲ ହେଉଛି । ଏନେଇ କୌଣସି ପ୍ରତିବନ୍ଧକ କାହିଁକି ରଖାଯାଇ ନାହିଁ । ଏହା ଉପରେ ବନବିଭାଗ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details