ବୌଦ୍ଧ: ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ନଦୀ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତ ବୌଦ୍ଧ ଜିଲ୍ଲା । ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ବିକାଶ ପାଇଁ ଉଦ୍ୟମ କରୁଥିବା ବେଳେ ଓଡ଼ିଶାର ପ୍ରଥମ ପରିବେଶ ପାର୍କରେ ଆରମ୍ଭ ହୋଇଛି ଖାଦ୍ୟର ପସରା । ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ଏହି କାର୍ଯ୍ୟକ୍ରମ କରାଯାଇଛି ।
ପାରମ୍ପରିକ ଖାଦ୍ୟର ମହକରେ ବାସୁଛି ନନ୍ଦନବନ ଓ ଯାଯାବର ପ୍ରକଳ୍ପ
ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଅଧିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି । ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ନନ୍ଦନବନ ଓ ଯାଯାବର ପ୍ରକଳ୍ପରେ ପାରମ୍ପରିକ ଖାଦ୍ୟମେଳା ଆୟୋଜିତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଜମ୍ମୁ ସାମ୍ବାରୁ ମିଳିଲା ସନ୍ଦିଗ୍ଧ ବେଲୁନ, ନୂଆ ଚାଲ୍ ଖେଳୁଛି କି ପାକ୍
ନଦନଦୀ ଓ ପାହାଡି ଝରଣା ତଥା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଜିଲ୍ଲାର ଡମକୁଚ, କୁମ୍ଭିଦରହ, ଶୀତଳପାଣି, ତାମ୍ବିଦରହ, ଡମ୍ବରୁଗଡ, ସମାଡାଙ୍ଗୀ, ଲୁଣ୍ଡୁରୁ, ଖଣ୍ଡିକନପା ଭଳି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ରହିଛି । ଆଉ ଏସବୁ ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ବିକାଶ କାର୍ଯ୍ୟ ତ୍ବରାନ୍ବିତ କରୁଛି । ଏଥିସହିତ ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ପାର୍କ ନନ୍ଦନବନ ଓ ଯାଯାବର ପ୍ରକଳ୍ପ କାର୍ଯ୍ୟ ମଧ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ଆରମ୍ଭ ହୋଇଛି ।
ନନ୍ଦନବନ ପ୍ରକଳ୍ପ ମଧ୍ୟରେ ଅନେକ ଦୁର୍ଲଭ ଔଷଧୀୟ ବୃକ୍ଷ ସହିତ ବିଭିନ୍ନ ବନ୍ୟପ୍ରାଣୀ ଓ ସବୁଜିମାରେ ଭରପୁର ରହିଛି । ସେହିପରି ଯାଯାବର ପ୍ରକଳ୍ପ ଠାରେ ଅଞ୍ଚଳର ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ବାନ୍ଧ ଶାଢ଼ୀ ଠାରୁ ନେଇ ବିଭିନ୍ନ ଖାଦ୍ୟ ପଦାର୍ଥର ଷ୍ଟଲ ଯୋଗାଇ ଦିଆଯାଇଛି । ରବିବାର ଯାଯାବର ଠାରେ ପ୍ରଥମଥର ପାଇଁ ସ୍ଥାନୀୟ ଖାଦ୍ୟ ସୁଆଁଳି ପିଠା, ଆଡିଶା, କାକରା, ମଣ୍ଡା ଓ ସୁଆଁରୁ ପ୍ରସ୍ତୁତ ଖିଲି ଭଳି ବିଭିନ୍ନ ସୁସ୍ବାଦୁ ଖାଦ୍ୟର ଶୁଭାରମ୍ଭ ହୋଇଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଖୋଦ ଏଠାକାର ପାରମ୍ପରିକ ଖାଦ୍ୟ ଖାଇ ବେଶ ପ୍ରଶଂସା କରିଥିଲେ । ସେହିପରି ରବିବାର ଦିନିକିଆ ବୌଦ୍ଧ ଗସ୍ତରେ ଥିବା ଆସିକା ବିଧାୟିକା ମଧ୍ୟ ଜିଲ୍ଲାର ଅକ୍ସି ଟୁରିଜିମ ଓ ନନ୍ଦନବନ ପ୍ରକଳ୍ପର ଖୁବ ପ୍ରଶଂସା କରିଥିଲେ ।
ଇଟିଭି ଭାରତ, ବୌଦ୍ଧ