ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ତେଲନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଲନଦୀରେ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ଜଳ ଘେରରେ ରହିଛି । କେତେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଥିବାବେଳେ ଅନେକ ଗରିବ ଅସହାୟ ପରିବାର ପାଇଁ ଏଭଳି ବନ୍ୟା ଦୁଃଖ ଆଣି ଦେଇଛି । ତେଲନଦୀରେ ବନ୍ୟାଜଳ ପ୍ରବାହିତ ହେବା ସହିତ ଏହି ବନ୍ୟାଜଳ ଦ୍ବାରା ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଅନେକ ଗରିବ ଅସହାୟ ଲୋକଙ୍କ ପାଇଁ ଏହି ବନ୍ୟା ଦୁଃଖ ଆଣି ଦେଇଛି । ଗୁରୁବାର ଦିନ ତମାମ ବନ୍ୟାଜଳ ବିଭିନ୍ନ ତଳିଆ ଅଞ୍ଚଳରେ ବିତ୍ପାତ କରିଥିବାବେଳେ ବର୍ତ୍ତମାନ ବନ୍ୟା ଆଶଙ୍କା ଟଳିଛି ।
ଲଗାଣ ବର୍ଷା ଫଳରେ ତେଲନଦୀରେ ବନ୍ୟାଜଳ ପ୍ରବାହିତ ହେବା ସହିତ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଗୁରୁବାର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ କେତେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେଲନଦୀ ନିକଟରେ ଅବସ୍ଥିତ ଗୁଆବାହାଲ ଗାଁରେ ପ୍ରାୟ 4 ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଅନେକ ସ୍ଥାନରେ କଚ୍ଚା ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି ।
ତେବେ କଣ୍ଟାମାଳଠାରୁ ଘଣ୍ଟାପଡ଼ା ପର୍ଯ୍ୟନ୍ତ ରାଜ୍ୟ ରାଜପଥ ଉପରେ ଗୁରୁବାର ଦିନ ତମାମ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ମୋଟର ଅଟକି ରହିଥିଲା । ଘଣ୍ଟାପଡା ପଞ୍ଚାୟତର ସମଲେଶ୍ଵରୀ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଅନେକ ସ୍ଥାନରେ ଗରିବ ଲୋକମାନଙ୍କ ମାଟି ଘର ଭୁଷୁଡି ପଡ଼ିଥିବା ସୂଚନା ମିଳିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି । ତେବେ ଶୁକ୍ରବାର ବର୍ଷାର ପରିମାଣ କମିବା ସହିତ ବନ୍ୟାଜଳ ହ୍ରାସ ପାଉଥିବା ସୂଚନା ମିଳିଛି ।