ଓଡିଶା

odisha

ETV Bharat / state

ତେଲନଦୀରେ ବନ୍ୟା, ବନ୍ୟାଜଳରେ ବୁଡିଲା NH-41

ତେଲ ନଦୀରେ ପ୍ରଳୟଙ୍କାରୀ ବନ୍ୟା । ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ମନମୁଣ୍ଡା କଣ୍ଟାମାଳ ୪୧ ନମ୍ବର ରାଜପଥ ଉପରେ ପାଣି ଚାଲିଥିବାରୁ ଯାତାୟତ ବାଧାପ୍ରାପ୍ତ ।

By

Published : Aug 13, 2019, 9:58 PM IST

ଫଟୋ ସୌଜନ୍ୟ: ପ୍ରତିନିଧି,ବୌଦ୍ଧ

ବୌଦ୍ଧ: ହାତୀ ନଦୀ ଓ ରାହୁଳ ନଦୀରେ ବନ୍ୟାଜଳ ଆସି ତେଲନଦୀକୁ ଆହୁରି ଭୟଙ୍କର କରିଦେଇଛି । ଫଳରେ କଣ୍ଟାମାଳ ବ୍ଲକର ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତରେ ଏବେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି । ତଳି ଅଞ୍ଚଳ ଗୁଡିକ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇସାରି ଥିବା ବେଳେ ବେଳକୁ ବେଳ ଜଳସ୍ତର ବୃଦ୍ଧି ପାଉଥିବାରୁ ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ । ସୋମବାର କଣ୍ଟାମାଳର କେତେକ ସ୍ଥାନ ବିଛିନ୍ନ ହୋଇଥିବା ବେଳେ ଗୁନ୍ଦଳିଆର ଜଣେ ବୃଦ୍ଧ ଭାସିଯାଉ ଥିବା ବେଳେ ଉଦ୍ଧାର କରାଯାଇଥିଲା । ମଙ୍ଗଳବାର ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ବୌଦ୍ଧ

ତେଲନଦୀରେ ବନ୍ୟା ଜଳ ଆସି ମନମୁଣ୍ଡା କଣ୍ଟାମାଳ ୪୧ ନମ୍ବର ରାଜପଥ ଉପରେ ପ୍ରବାହିତ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ନାରାୟଣ ପ୍ରସାଦ ପଞ୍ଚାୟତର ଉଡେନ, ନୂଆପଡା,ସିଲେଟପଡା,ସିମିଳିପଦର ପଞ୍ଚାୟତର ଲୋକାପଡା, ଗୁଣ୍ଡୁଚିତରା ସହିତ କୁଳୁତାଯୋର,ଘଣ୍ଟାପଡା,ଖମନମୁଣ୍ଡା, ଖୁଣ୍ଟିଗୋରା, ଆମ୍ବଗାଁ ପଞ୍ଚାୟତର ପ୍ରାୟ ସମସ୍ତ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି । ଏଥିସହିତ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଥିବା ସୂଚନା ମିଳୁଛି ।

ମନମୁଣ୍ଡା ଅଞ୍ଚଳରେ ବିଦ୍ୟୁତ ସରବରାହ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ମଙ୍ଗଳବାର ଦିନ ତମାମ ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ବ୍ଲକର ବିଭିନ୍ନ ବନ୍ୟା ପ୍ରପିଡିତ ଅଞ୍ଚଳ ବୁଲିବା ସହ ଉଦ୍ଧାର କାର୍ଯ୍ୟ କୁ ନିଜେ ତଦାରଖ କରିଥିଲେ ।ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ସହ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରାଯାଇଛି । କଣ୍ଟାମାଳ ବ୍ଲକରେ ତେଲନଦୀରେ ବନ୍ୟା ଆସି ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details