ବୌଦ୍ଧ: ଜିଲ୍ଲାରେ ପ୍ରସ୍ତୁତ ହେଉଛି ରାଜ୍ୟର ପ୍ରଥମ ବନ୍ୟପ୍ରାଣୀ ସଫାରୀ ନନ୍ଦନବନ ପ୍ରକଳ୍ପ । ବୌଦ୍ଧ ଜିଲ୍ଲାର ବୀରନରସିଂପୁର ଓ ମଥୁରା ପଞ୍ଚାୟତର ମଧ୍ୟବର୍ତ୍ତୀ ଟିଟି ଝରଣାର ଉଭୟ ପାର୍ଶ୍ଵରେ ଥିବା ୧୫୦୦ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେଉଛି ନନ୍ଦନବନ ସଫାରୀ । ଏହି ପ୍ରକଳ୍ପ ଦ୍ବାରା ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି ।
ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ବନ୍ୟପ୍ରାଣୀ ସଫାରୀ ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ନୂଆପଡା ଡ୍ୟାମଠାରୁ ନେଇ ଏଠାରେ ଅନେକ ବିରଳ ପ୍ରଜାତିର ସରୀସୃପ, ବନ୍ୟପ୍ରାଣୀ, ଦୁର୍ଲଭ ଔଷଧୀୟ ଗୁଳ୍ମ, ସବୁଜ ବନାନୀ ବର୍ଷ ତମାମ ପ୍ରକୃତି ପ୍ରେମୀ ତଥା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ବର୍ତ୍ତମାନ ଏସବୁ ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ସଫାରୀ ସହିତ ଇକୋ କଟେଜ, ଯାଯାବର, ବୋଟିଂ, ଏମ୍ୟୁଜମେଣ୍ଟ ପାର୍କ ଭଳି ଅନେକ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ପ୍ରତିଷ୍ଠା ହେବ । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ତଥା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପ ଆଗେଇ ଚାଲିଥିବାବେଳେ, ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ପଥପ୍ରାନ୍ତ ଯାଯାବର ପ୍ରସ୍ତୁତ ହୋଇସାରିଛି ।