ଓଡିଶା

odisha

ETV Bharat / state

ଲୋକନୃତ୍ୟ ଓ ସଙ୍ଗୀତର ଉତ୍ସବ ଦେଶଜ ଉଦଘାଟିତ - ରାଜ୍ୟ ସଂଗୀତ ନାଟକ ଏକାଡେମୀ

ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ଦେଶଜ ଉତ୍ସବ । ରାଜ୍ୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ରାଜ୍ୟର ବହୁ ପ୍ରତିଷ୍ଠିତ କଳାକାର ଯୋଗଦେଇ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟ ପରିବେଷଣ କରିଥିଲେ । ଅଧିକ ପଢନ୍ତୁ

desaja festival
desaja festival

By

Published : Jul 9, 2023, 7:39 AM IST

desaja festival

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ 'ଦେଶଜ' ଉତ୍ସବ । ଦୁଇ ଦିନିଆ ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଛି । ଟାଉନହଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ରାଜ୍ୟର କଳାକାରମାନେ ଲୁପ୍ତ ପ୍ରାୟ ଲୋକବାଦ୍ୟ ଓ ଲୋକକଳାକୁ ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି ।

ଉତ୍କୃଷ୍ଟ କଳା ପାଇଁ ଆମ ରାଜ୍ୟକୁ ଉତ୍କଳ ବୋଲି କୁହାଯାଏ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଲୋକକଳା ତଥା ଲୋକବାଦ୍ୟ ପ୍ରଚଳିତ । ସମୟ ସ୍ରୋତରେ ଅନେକ ଲୋକକଳା ଓ ଲୋକ ପରମ୍ପରା ଅବଲୁପ୍ତର ଦ୍ବାରଦେଶରେ ଦଣ୍ଡାୟମାନ ହୋଇଛି । ଏଭଳି ଲୁପ୍ତ ପ୍ରାୟ ଲୋକକଳା ଓ ପାରମ୍ପରିକ ବାଦ୍ୟ ସଂଗୀତକୁ ବଞ୍ଚାଇ ରଖିବାକୁ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଦେଶଜ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟମ କରାଯାଇଛି । ଏହି ଦେଶଜ କାର୍ଯ୍ୟକ୍ରମ ଅନ୍ତର୍ଗତ ପାରମ୍ପରିକ ଲୋକକଳା ଓ ବାଦ୍ୟ ସଂଗୀତ ସହ ଜଡ଼ିତ କଳାକାରଙ୍କୁ ପ୍ରୋତ୍ସାହିତ ମଧ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଦେଶଜ ଉତ୍ସବର ଆୟୋଜନ କରାଯାଇଛି ।

ରାଜ୍ୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ପାରମ୍ପରିକ କଳା ସହ ଜଡ଼ିତ କଳାକାରଙ୍କୁ ଆମନ୍ତ୍ରଣ କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ଚୁଟୁକୁଚୁଟା, ରସରକେଲୀ, ମାଏଲାଜଡ, ଡାଲଖାଇ ଭଳି ଲୋକକଳା ପ୍ରଚଳିତ ଥିବାବେଳେ ବୌଦ୍ଧ ଜିଲ୍ଲାର ପତର ଶଉରା, ଝାଲିଆ ଶବର, ଘୁବୁକୁଡୁ, ଧୁନକେଲୀ ଭଳି ପାରମ୍ପରିକ ଲୋକକଳା ପ୍ରଚଳିତ ହୋଇଆସୁଛି । ତେବେ ଦେଶଜ ଉତ୍ସବର ଉଦଘାଟନୀ ଦିବସରେ ବୌଦ୍ଧ ଅଞ୍ଚଳର ଧୁନକେଲୀ ସ୍ଥାନୀୟ କଳାକାରଙ୍କ ଦ୍ବାରା ପରିବେଷିତ ହୋଇଥିଲା ।

ବୌଦ୍ଧ ଅଞ୍ଚଳର ଅଧିକାଂଶ ଗ୍ରାମରେ କୈଳାସୀ ଯାତ୍ରା ସମୟରେ କୁଠିଚିତ୍ର ସହିତ ପାରମ୍ପରିକ ବାଦ୍ୟ ଧୁନକେଲୀ ପରିବେଷଣ କରାଯାଇଥାଏ । ଧୁନକେଲୀ ବାଦ୍ୟ ପ୍ରକୃତରେ ଏକ ଧନୁକୁ ଗୋଟିଏ ସ୍ବତନ୍ତ୍ର ମାଟି ହାଣ୍ଡି ଉପରେ ଘୋଡାଇ ରଖାଯାଇଥିବା ବାଉଁଶ କୁଲାରେ ଘର୍ଷଣ ପରେ ଯେଉଁ ଶବ୍ଦ ଉତ୍ପତ୍ତି ହୋଇଥାଏ ତାକୁ ହିଁ ବୁଝାଯାଏ । ତେବେ ପରିବର୍ତ୍ତିତ ସମୟରେ ଏହି ଧୁନକେଲୀ ବାଦ୍ୟ ସଂଗୀତ ଲୁପ୍ତ ଅବସ୍ଥାରେ ପହଞ୍ଚି ଥିବାବେଳେ ବର୍ତ୍ତମାନ ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଉଦ୍ୟମ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ବଢ଼ିଲା କଳାକାରଙ୍କ ପାରିଶ୍ରମିକ, ଫୋକସରେ ଲୋକକଳାର ପ୍ରସାର

ଗତକାଲି ସ୍ଥାନୀୟ କଳାକାରଙ୍କ ଦ୍ବାରା ପରିବେଷିତ ଏହି ଧୁନକେଲୀ ବାଦ୍ୟ ଓ ଏହାର ବନ୍ଦାଣକୁ ସମସ୍ତେ ଖୁବ ପ୍ରଶଂସା କରିଥିଲେ । ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସ୍ଥାନୀୟ ଧୁନକେଲୀ କଳାକାରଙ୍କୁ ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ସାମିଲ କରି ଆସନ୍ତା ୬ ମାସ ପର୍ଯ୍ୟନ୍ତ ସ୍ବତନ୍ତ୍ର ତାଲିମର ବ୍ୟବସ୍ଥା କରିବେ ବୋଲି ବିଭାଗର ସଚିବ ସୂଚନା ଦେଇଛନ୍ତି । ତେବେ ଉଦଘାଟନୀ କାର୍ଯ୍ୟକ୍ରମରେ ବୌଦ୍ଧର ନୂତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଖଣି ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଚିତ୍ତ ରଞ୍ଜନ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶାର ବିଭିନ୍ନ ବାଦ୍ୟକଳାକୁ ନେଇ ମିଳିତ ବାଦ୍ୟକଳାକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ ।

ଇଟିଭି ଭାରତ,ବୌଦ୍ଧ

ABOUT THE AUTHOR

...view details