ବୌଦ୍ଧ: ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଅଖିଳ ଗିରିଙ୍କ (TMC minister Akhil Giri) ବଢୁଛି ଅଡୁଆ । ସାରା ଦେଶରେ ଗିରିଙ୍କ ମନ୍ତବ୍ୟକୁ ନେଇ କଡା ସମାଲୋଚନା ଜାରି ରହିଛି ।
ଏନେଇ ପଶ୍ଚିମବଙ୍ଗର ଟିଏମସି ଦଳର ମନ୍ତ୍ରୀଙ୍କ ନାରେ ଏତଲା ଦେଲା ଜିଲ୍ଲା ବିଜେପି । ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଶ୍ଚିମ ବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିବା ସହିତ ମନ୍ତ୍ରୀ ଗିରିଙ୍କୁ ଭର୍ତ୍ସନା କରିଛନ୍ତି । ଶନିବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଆଦର୍ଶ ଥାନାରେ ମନ୍ତ୍ରୀ ଗିରିଙ୍କ ବିରୋଧରେ ଏତଲା ଦେଇଛନ୍ତି ।