ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅମଳକ୍ଷମ ଧାନ ଉପରେ ଗଭୀର ପ୍ରଭାବ ପକାଇଛି ସାମୁଦ୍ରିକ ବାତ୍ୟା ଜୱାଦ । ତେଣୁ ସରକାରୀ ଧାନକ୍ରୟକୁ ସାମୟିକ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଛି । ବୌଦ୍ଧ ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ପ୍ରଭାବରେ ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ବର୍ଷା ଛାଡି ଯାଇଥିଲେ ମଧ୍ୟ ଜମିରୁ ଚାଷୀ ଧାନ ସଂଗ୍ରହ କରିପାରିନାହିଁ । ତେଣୁ ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହେବାକୁ ଥିବା ସରକାରୀ ଧାନକିଣାକୁ ଆଗାମୀ ସପ୍ତାହେ ପାଇଁ ଘୁଞ୍ଚାଇ ଦିଆଯାଇଛି ।
ସେପଟେ ଗତ ଡିଏଲପିସି ବୈଠକରେ ନିଷ୍ପତ୍ତି ହୋଇଥିବା ଖଟଖଟିଆ ଧାନ ସଂଗ୍ରହ କେନ୍ଦ୍ରକୁ ନେଇ ପୁଣି ସମସ୍ୟା ସୃଷ୍ଟି ହୋଇଛି । ଖଟଖଟିଆ ଅଞ୍ଚଳର ଚାଷୀ ପୂର୍ବରୁ ସିମିଳିପଦର ସମବାୟ ସମିତି ଠାରେ ଧାନବିକ୍ରି କରୁଥିବାବେଳେ ସେଠାରେ ବ୍ୟାପକ ଦୁର୍ନୀତି ଯୋଗୁଁ ଉକ୍ତ ଧାନକ୍ରୟ କେନ୍ଦ୍ରକୁ ବନ୍ଦ କରି ଖଟଖଟିଆଠାରେ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବର୍ତ୍ତମାନ ଖଟଖଟିଆ କେନ୍ଦ୍ର ଖୋଲାନଯାଇ ଅନ୍ୟତ୍ର ଧାନ ମଣ୍ଡି ଖୋଲାଯିବା ନେଇ ସୂଚନା ମିଳିବା ପରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।