ବୌଦ୍ଧ: ଅବ୍ୟବସ୍ଥା ଘେରରେ ସମବାୟ ସମିତି। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସେବା ସମବାୟ ସମିତି ମଧ୍ୟରୁ ଅଧିକାଂଶ ସମିତିର ନିଜସ୍ଵ କାର୍ଯ୍ୟାଳୟ ଗୃହ ଅଭାବ ତଥା ଅତ୍ୟନ୍ତ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ତେବେ କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସମୟରେ ଧାନ ଚାଷ ଓ କପାଚାଷ ପର୍ଯ୍ୟାପ୍ତ ପରିମାଣରେ ହେଉଥିବା ବେଳେ ବର୍ତ୍ତମାନ ଉଭୟ ଧାନ ଓ କପା ସଂଗ୍ରହ ହେବାର ଆରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଖରିଫ୍ ଧାନ ଅମଳ ହେବା ସହିତ କପା ସଂଗ୍ରହ କାର୍ଯ୍ୟ ଚାଲିଛି । ଜିଲ୍ଲାର ୪୨ ଗୋଟି ସମବାୟ ସମିତି ପୂର୍ବରୁ ଥିବା ବେଳେ ବର୍ତ୍ତମାନ ସମୁଦାୟ ୬୦ ଗୋଟି ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । କିନ୍ତୁ ବୌଦ୍ଧରେ ଚାଷୀଙ୍କ କପା ବିକ୍ରି ପାଇଁ କୌଣସି କପା ମଣ୍ଡି ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଆଉ ଅଳ୍ପଦିନ ପରେ ଜିଲ୍ଲାରେ ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ହେଲେ ଚାଷୀଙ୍କୁ ଋଣ ପ୍ରଦାନ,ସାର ଯୋଗାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସେବା ସମବାୟ ସମିତିଗୁଡିକ ବ୍ୟାପକ ସମସ୍ୟା ତଥା ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।