ବୌଦ୍ଧ: ଜଳସେଚନ ବିଭାଗର ଅବହେଳା ଚାଷୀ ଭୋଗୁଛନ୍ତି ସମସ୍ୟା । ଦଶହରାରେ କେନାଲରେ ପାଣି ଯୋଗାଇ ଦେବାକୁ କରିଥିବା ପ୍ରତିଶ୍ରୁତି ହେଲା ପାଣିର ଗାର । ମେଗା ପ୍ରକଳ୍ପ ନିକଟରେ ଥାଇ ମଧ୍ୟ ଚାଷୀଙ୍କ ଜମିକୁ ଜଳସେଚନ ବିଭାଗର ଅବହେଳା ଯୋଗୁଁ ପାଣି ମିଳୁନାହିଁ । ଫଳରେ ଶହଶହ ଏକର ଜମିର ଫସଲ ଏବେ ଉଜୁଡି ଯିବାକୁ ବସିଛି ।
ଜଳସେଚନ ବିଭାଗର ଉଦାସୀନତା କାରଣରୁ ଜମିକୁ ପହଞ୍ଚି ପାରିଲାନି ପାଣି । ଗତ କିଛି ଦିନ ତଳେ ଖୋଦ ନିର୍ବାହୀ ଯନ୍ତ୍ରୀଙ୍କୁ ଅଞ୍ଚଳର ଚାଷୀ ଘେରାଉ ପରେ ସେ ଦଶହରା ସୁଦ୍ଧା କେନାଲରେ ପାଣି ଛାଡି ଜମିକୁ ପାଣି ଯୋଗାଇ ଦେବାକୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ଦଶହରା ପୂଜା ସରିଗଲା । କିନ୍ତୁ ଜମିକୁ ପାଣି ନ ଆସିବାରୁ ଏବେ ଚାଷୀ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଅଳାଁପାଲି ପଞ୍ଚାୟତ ହିଲୁଙ୍ଗ ଅଞ୍ଚଳର ଶହ ଶହ ଏକର ଚାଷ ଜମିକୁ କେନାଲ ଯୋଗେ ପାଣି ମୁନ୍ଦାଏ ମିଳିନାହିଁ । ଏନେଇ ଚାଷୀ ବାରମ୍ବାର ଜଳସେଚନ ବିଭାଗର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଲୋକଙ୍କ ଦୁଃଖ ଶୁଣିବେ କଣ ଓଲଟା ବ୍ୟାପକ ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ଫଳରେ ଗତ କିଛି ଦିନ ତଳେ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ଚାଷୀ ମାନେ ଘେରାଉ କରିବାରୁ ସେ ରାଜନୈତିକ ବ୍ୟକ୍ତି ଭଳି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ ।