ଓଡିଶା

odisha

ETV Bharat / state

ଚାଷୀ ଖୋଳିଲେ କେନାଲ; ମିଳିବ ପାଣି, ସୁଧୁରିବ ରାସ୍ତା - ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ

ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ପୋତି ହୋଇଥିଲା କେନାଲ । ଚାଷୀମାନେ ନିଜ ଉଦ୍ୟମରେ କେନାଲ ଖୋଳିବା ସହ ଜମିରେ ପାଣି ମଡାଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Aug 25, 2019, 10:42 PM IST

ବୌଦ୍ଧ: ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ପୋତି ହୋଇଥିଲା କେନାଲ । ପ୍ରଶାସନ ପାଖରେ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ଏହାପରେ ନିଜ ଉଦ୍ୟମରେ ଚାଷୀ ମାନେ ମିଳିତ ହୋଇ ପୋତି ହୋଇଥିବା କେନାଲରୁ ମାଟି କାଢିବା ସହିତ ନିଜ ଜମିରେ ପାଣି ମଡାଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ପଞ୍ଚାୟତରେ। ତେବେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟକୁ ଲୋକମାନେ ନିନ୍ଦା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ରାଉତବାହାଲ ରାସ୍ତା ବିନା ସୂଚନା ଫଳକରେ କରାଯାଇଥିଲା । ଯାହା ଏବେ ମରଣଯନ୍ତା ପାଲଟିଛି । ପାଞ୍ଚ ଖଣ୍ଡରୁ ଉର୍ଦ୍ଧ୍ବ ପଞ୍ଚାୟତର ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା ବେଳେ ଏଥିରେ ଗାଡି ମୋଟର କି ଚାଲିକରି ଯିବା ମଧ୍ୟ କଷ୍ଟକର । ବର୍ଷାହେଲେ ଏ ରାସ୍ତାର ଅବସ୍ଥା ବେଶୀ ଖରାପ ହୋଇଯାଏ । ଏପରିକି ପିଲାମାନେ ନିଜ ସ୍କୁଲ ମଧ୍ୟ ଯାଇପାରନ୍ତି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେହିପରି ରାସ୍ତା କାମ ବେଳେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲକୁ ମଧ୍ୟ ମାଟି ପକାଇ ପୋତିଦିଆ ଯାଇଥିବା ଅଭିଯୋଗ ହୋଇଛି । ଫଳରେ ଶହଶହ ଏକରକୁ ଜଳସେଚନ କରିବା ବାଧାପ୍ରାପ୍ତ ହୋଇଛି । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେବେ ରବିବାର ସେହି ଅଞ୍ଚଳର ଚାଷୀମାନେ ମିଳିତ ହୋଇ ଦୀର୍ଘ ନାଳଖୋଳିବା ସହ ଜମିକୁ ଜଳସେଚନର ବ୍ୟବସ୍ଥା କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details