ବୌଦ୍ଧ: ଜିଲ୍ଲାରେ ଦୀର୍ଘ ସାତ ଦିନ ଧରି ଚାଲିଥିବା ଆଧ୍ୟାତ୍ମିକ ନାଟ୍ୟ ମହୋତ୍ସବ ଧନୁଯାତ୍ରା ଆଜି ଉଦଯାପିତ ହୋଇଛି । ଏହି ଅବଧି ମଧ୍ୟରେ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟର ତାଳେ ତାଳେ ମହାରାଜା କଂସଙ୍କ ନଗର ପରିକ୍ରମା ବୌଦ୍ଧରେ ମଥୁରା ନଗରୀର ଭ୍ରମ ସୃଷ୍ଟି କରିଥିଲା । ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବୌଦ୍ଧ ଜିଲ୍ଲା ସଦରମହକୁମାଠାରେ ମଥୁରା ନରେଶ ମହାରାଜା କଂସଙ୍କ ନିଧନ ସହିତ ଉଦଯାପିତ ହୋଇଛି ଧନୁଯାତ୍ରା ନାଟ୍ୟ ମହୋତ୍ସବ ।
ବୌଦ୍ଧର ଭୈରବୀ ପଡ଼ିଆଠାରେ ଗତ 17 ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଧନୁଯାତ୍ରା ନାଟ୍ୟ ମହୋତ୍ସବ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ପ୍ରତ୍ୟେକ ଦିନ ସଂଧ୍ୟାରେ ଏହି ଧନୁଯାତ୍ରା ଉତ୍ସବ ଉପଲକ୍ଷେ ରାଜ୍ୟର ସୁପରିଚିତ ପାରମ୍ପରିକ ଲୋକ ନାଟକକୁ ପରିବେଷଣ ସହିତ ଦ୍ଵାପର ଯୁଗର ଶ୍ରୀକୃଷ୍ଣଙ୍କ ବିଭିନ୍ନ କଥାବସ୍ତୁ ଯଥା ବାଲ୍ୟ ଲୀଳା, ଲହୁଣି ଚୋରି, ପୁତନା ବଧ, କାଳୀୟ ନାଗ ଦମନ, ଗୋଚାରଣ, ବସ୍ତ୍ର ହରଣ, ବକାସୁର ବଧ, ଗିରି ଗୋବର୍ଧନକୁ ଟେକିବା ଆଦିକୁ ନେଇ ଏହି ମହୋତ୍ସବର ପରିକଳ୍ପନା କରାଯାଇଥିଲା । ଶନିବାର ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଏହି ମହୋତ୍ସବର ଅନ୍ତିମ ସନ୍ଧ୍ୟାର ମହାରାଜା କଂସର ନିଧନ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ହେବା ପରେ ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି ।