ବୌଦ୍ଧ: ତାଳ ବରଡ଼ା ପତ୍ରରେ ଆବଦ୍ଧ ଘରର ଛାତ । ଲୁଗା, ଛିଣ୍ଡି ଯାଇଥିବା ଅଖାକୁ ଘରର କାନ୍ଥ କରାଯାଇଛି । ଦି ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇଛି । ଆଉ ଅସହାୟ ଗରିବଙ୍କ ପାଇଁ ସରାକର କରିଥିବା ମାଳ ମାଳ ଯୋଜନା ଏମାନଙ୍କ ପାଇଁ ସାତ ସପନ ହୋଇଛି । ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଏକ ପରିବାର । ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ଏହି ପରିବାର ।
ବଣ ଜଙ୍ଗଲ ଭିତରେ ଦିନ କାଟୁଛନ୍ତି ଛଅ ପ୍ରାଣୀ । ଘର କହିଲେ ତାଳ ବରଡା ପତ୍ର ଆବଦ୍ଧ ଛାତ ଓ ଜରିପାଲ ଦିଆ କାନ୍ଥ । ନା ଖଣ୍ଡେ ଖାଇବାକୁ ମିଳୁଛି ନା ପିନ୍ଧିବାକୁ ଭଲ ବସ୍ତ୍ର । ମାଗିଯାଚି ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଏହି ପରିବାର । ବିକାଶର ଡିଣ୍ଡିମ ପ୍ରଚାର କରାଯାଉଥିବା ବେଳେ ଏହି ପରିବାର ନିକଟରେ ସରକାରଙ୍କ ସାମାନ୍ୟତମ ସୁବିଧା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଏହି ପରିବାର ସତେ ଯେପରି ପେଟର ଭୋକ ମେଣ୍ଟେଇବାକୁ ବଞ୍ଚିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏଭଳି ଅଭାବନୀୟ ତଥା କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ରହିଛି । କିନ୍ତୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଗ୍ରାମ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରେ ବସବାସ କରୁଛନ୍ତି 6 ପ୍ରାଣୀଙ୍କ ପାଇଁ ଏହା ସାତ ସପନ । କୁଡା ସମ୍ପ୍ରଦାୟର ଏହି ପରିବାର ଏଠାରେ ଦୀର୍ଘ 25 ବର୍ଷ ହେଲା ଏଠାରେ ବସବାସ କରିଆସୁଛନ୍ତି । ହେଲେ ଏମାନଙ୍କ ନିକଟରେ କୌଣସି ପରିଚୟପତ୍ର ନାହିଁ । ପରିବାର ପ୍ରତିପୋଷଣ କରୁଥିବା ବାପା ଓ ପୁଅ ଆର ପାରିକୁ ଚାଲି ଗଲେଣି । ବୃଦ୍ଧା ଜଣକ ତାଳ ବାହୁଙ୍ଗା ଓ ଜରି ଟଣା ଘରେ ଦୁଇ ଛୋଟ ଛୁଆଙ୍କୁ ଜଗିଥିବା ବେଳେ ତାଙ୍କ ବୋହୁ ଅନ୍ୟ ଦୁଇଜଣ ଛୁଆଙ୍କୁ ନେଇ ଗାଁ ଗାଁରେ ମାଗି ଯାଚି ଚଳୁଛନ୍ତି । ସେମାନଙ୍କ ନିକଟରେ ନାଁ ଅଛି ରାସନ୍ କାର୍ଡ, ନା ଆଧାର, ନା ନାଗରିକ ପରିଚୟପତ୍ର ନା ଅନ୍ୟ କୌଣସି ପରିଚୟ ପତ୍ର ।