ବୌଦ୍ଧ:ଜିଲ୍ଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ନିର୍ମମାନର ସରକାରୀ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ନକଲି ଶିକ୍ଷକ ଧରାପଡିବା ପରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜାଲ ସାର୍ଟିଫିକେଟ ଧାରୀ ନକଲି ଶିକ୍ଷକଙ୍କ ଲମ୍ବା ତାଲିକା ରହିଥିବା ବେଳେ ବର୍ତ୍ତମାନ ଶିକ୍ଷାର ବିକାଶ ପାଇଁ ୫ଟି ସ୍କୁଲ ନିର୍ମାଣ କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି ।
ଜିଲ୍ଲାର ଶିକ୍ଷା ବିଭାଗ ବର୍ତ୍ତମାନ ବ୍ୟାପକ ସମସ୍ୟା ଘେରରେ ରହିଛି । ଶିକ୍ଷକ ବଦଳି ଠାରୁ ନେଇ ନକଲି ଶିକ୍ଷକ ତାଲିକା ପ୍ରସ୍ତୁତ କରୁ କରୁ ବିଭାଗ ନୟାନ୍ତ ହୋଇପଡିଲାଣି । ସେପଟେ ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ତଥା ଶିକ୍ଷାର ବିକାଶ ପାଇଁ 5t ମାଧ୍ୟମରେ ବିଦ୍ୟାଳୟର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି ।
ବଢୁଛି ନକଲି ଶିକ୍ଷକଙ୍କ ସଂଖ୍ୟା: ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟରେ ଜାଲ ସାର୍ଟିଫିକେଟ ଧାରୀ ନକଲି ଶିକ୍ଷକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଦୁଇ ବର୍ଷ ତଳେ ଶିକ୍ଷା ବିଭାଗ ୪୯ ଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରିଥିବା ବେଳେ ବର୍ତ୍ତମାନ ଆଉ୭ ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । କିନ୍ତୁ ପ୍ରକୃତରେ ଜିଲ୍ଲାରେ ଆହୁରି ନକଲି ଶିକ୍ଷକ ରହିଥିବା ନେଇ ଅଭିଯୋଗ ହୋଇଛି । ପଡୋଶୀ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏଭଳି ନକଲି ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଭଳି ଅନୈତିକ କାର୍ଯ୍ୟରେ କିଛି ଶିକ୍ଷା ବିଭାଗର ଅଧିକାରୀ ମଧ୍ୟ ସାମିଲ ଥିବା ସୂଚନା ମିଳିଛି । ଶିକ୍ଷକ ସହିତ ବର୍ତ୍ତମାନ ହରଭଙ୍ଗା ବ୍ଲକର ଜଣେ ଅଙ୍ଗନବାଡି ଦିଦି ମଧ୍ୟ ଜାଲ ମାଟ୍ରିକ ସାର୍ଟିଫିକେଟ ଦେଇ ଚାକିରି ହାତେଇ ଜେଲଦଣ୍ଡ ଭୋଗିବା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବୌଦ୍ଧ ଜିଲ୍ଲାରେ ଆହୁରି ଅନେକ ବିଦ୍ୟାଳୟରେ ଏଭଳି ନକଲି ଶିକ୍ଷକ କାର୍ଯ୍ୟ ରତ ଥିବା ଜଣାପଡିଛି । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏଭଳି ନକଲି ଶିକ୍ଷକ ଧରାପଡିବେ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।