ବୌଦ୍ଧ: ଅଭୟାରଣ୍ୟ ଭିତରେ ଅନ୍ଧାରୀ ଗାଁ। ଯେଉଁଠି ନାହିଁ ନାହିଁରେ ଚାଲିଛି ଜୀବନ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସବୁଥିରୁ ବଞ୍ଚିତ ସରଳିଆ ଆଦିବାସୀଟିଏ। ସରକାରଙ୍କ ଶହେ ଯୋଜନା ଠାରୁ ସାତ କୋସ ଦୂରରେ ରହୁଛନ୍ତି ଏଠାକାର କନ୍ଧ ସମ୍ପଦ୍ରାୟ। କୁମ୍ଭୀର ସହ ଅନ୍ୟ ବନ୍ୟଜନ୍ତୁ ଏମାନଙ୍କ ସାଥୀ ସହଚର ଭଳି ମନେହୁଏ ।
ସ୍ବାସ୍ଥ୍ୟସେବା ଏମାନଙ୍କ ପାଇଁ ସ୍ବପ୍ନ ସଦୃଶ୍ୟ ହୋଇଥିବାରୁ ଝଡାଫୁଙ୍କା ଓ ଅନ୍ଧ ବିଶ୍ବାସର ଅନ୍ଧାରଗଳିରେ ଏମାନଙ୍କ ପାଦ ଥମି ଯାଇଛି। ଆମେ କହୁଛୁ ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତର ମାରଡା ଗାଁ କଥା। ଯାହା ପଡୋଶୀ ନୟାଗଡ଼ ଓ ଅନୁଗୁଳ ଜିଲ୍ଲା ସୀମା ନିକଟରେ ରହିଛି । ଯେଉଁଠି 22ଟି କନ୍ଧ ପରିବାର ରହୁଥିବା ବେଳେ ଭୋଗୁଛନ୍ତି ନାନା ଯନ୍ତ୍ରଣା।
ସରକାରଙ୍କ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା ପରେ ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି ଏମାନଙ୍କ ଜୀବନ। କିଭଳି ଓ କେଉଁ ପରିସ୍ଥିତିରେ ଏମାନେ ବଞ୍ଚୁଛନ୍ତି ତାହା ପରଖିବାକୁ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଥିଲା ଇଟିଭି ଭାରତ ଟିମ ।