ବୌଦ୍ଧ:ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା । ଗତ 14 ତାରିଖ ରଜ ସଂକ୍ରାନ୍ତି ଦିନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘୁଚାଙ୍ଗୀ ଜଙ୍ଗଲରେ 11 କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟି ପ୍ରାଣ ହରାଇଥିଲା । ତେବେ ଉଭୟ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । କାରଣ କଣ୍ଟାମାଳ ବନାଞ୍ଚଳର ଉକ୍ତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଦୀର୍ଘ ଦିନ ହେଲା ଦଶରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଛନ୍ତି । କିନ୍ତୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ନିଯୁକ୍ତି ହୋଇଥିବା କର୍ମଚାରୀଙ୍କ ଉକ୍ତ ଅଞ୍ଚଳରେ ଦିନଟିଏ ମଧ୍ୟ ଦେଖାନାହିଁ ।
ସେହିପରି ବିଦ୍ୟୁତ ତାର ଓ ହାତୀର ଗତିବିଧିକୁ ନେଇ ରଜ ସଂକ୍ରାନ୍ତି ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ ସୂଚନା ଦିଆଯାଇଥିଲା । କିନ୍ତୁ ବିଦ୍ୟୁତ କାଟ କରାନଯିବାରୁ ହାତୀର ମୃତ୍ୟୁ ଘଟିଲା । ସେପଟେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି କୌଣସି ସୂଚନା ସେମାନଙ୍କୁ ଦିଆଯାଇ ନଥିବା କୁହାଯାଇଛି । ବୌଦ୍ଧ ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା କୌଣସି ନୂଆ କଥା ନୁହେଁ । ଗତ ପାଞ୍ଚ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ୬ଗୋଟି ହାତୀଙ୍କ ମୃତ୍ୟୁ ଘଟିସାରିଛି । ଏନେଇ ବନ ବିଭାଗର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।