ବୌଦ୍ଧ:ଆଖି ବୁଜିଲା ପୋଷା ଦନ୍ତାହାତୀ । ନିଜ ମାଲିକ ଠାରୁ ଅଲଗା ହୋଇ ଏଣେ ତେଣେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିଲା । କେତେବେଳେ ଜଙ୍ଗଲ ତ ଆଉ କେତେବେଳେ ଗାଁ ମୁହାଁ ହୋଇ ପଡୁଥିବା ଦନ୍ତାହାତୀକୁ ଉଦ୍ଧାର ନାଁରେ ଟ୍ରାଙ୍କୁଲାଇଜର ଦେଇ ଥଇଥାନ କେନ୍ଦ୍ରକୁ ପଠାଗଲା । ମାତ୍ର କିଛି ଘଣ୍ଟା ପରେ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମଣିଷର ଚିନ୍ତାଧାରା ଓ ସମ୍ବେଦନଶୀଳତା ଅଭାବରୁ ପୁଣି ଏକ ଦନ୍ତାହାତୀ ଆଖି ବୁଜିଲା । ଗୋଟିଏ ଦିନ ପୂର୍ବରୁ ଗୋଟିଏ ପୋଷା ଦନ୍ତାହାତୀକୁ ଉଦ୍ଧାର ନାଁରେ ଟ୍ରାଙ୍କୁଲାଇଜର ଦେଇ ଥଇଥାନ କେନ୍ଦ୍ରକୁ ପଠାଇ ବନ ବିଭାଗ ବାହାବାହା ନେଉଥିବା ସମୟରେ ଦନ୍ତାହାତୀର ଦୁଃଖଦ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷ ଶେଷ ସମୟରେ ନିଜ ମାଲିକକୁ ଖୋଜି ଖୋଜି ଜଙ୍ଗଲ, ରାସ୍ତା ଘାଟ, ଗାଁ ଠାରୁ ସହର ସବୁଆଡେ ବୁଲୁଥିଲା ପୋଷା ଦନ୍ତାହାତୀ । ତେବେ ରବିବାର ଉକ୍ତ ଦନ୍ତାହାତୀର ଦୁଃଖଦ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ଏକ ପୋଷା ଦନ୍ତାହାତୀ ନିଜ ମାଲିକ ତଥା ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସ୍ଥାନରେ ବୁଲୁଥିଲା । ପୂର୍ବରୁ ଉକ୍ତ ଦନ୍ତାହାତୀ ସୋନପୁର ଜିଲ୍ଲାରେ ଜଣେ ମାହୁନ୍ତ ସଙ୍ଗେ ବୁଲୁଥିବା ସମୟରେ ମାହୁନ୍ତ ନିକଟରେ କିଛି ଗଞ୍ଜେଇ ଥିବା ଅଭିଯୋଗରେ ସ୍ଥାନୀୟ ପୋଲିସ ମାହୁନ୍ତକୁ ଗିରଫ କରିଥିଲା । ତେବେ ମାହୁନ୍ତକୁ ଖୋଜି ଖୋଜି ଦନ୍ତାହାତୀଟି ବୌଦ୍ଧ ଜିଲ୍ଲା ଆଡକୁ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲୁଥିଲା । କେତେବେଳେ ଖାଦ୍ୟ ପାଇଁ କାହାର ଜମିବାଡ଼ିରୁ ଫସଲ ଖାଇବା ସହିତ ଦଳାଚକଟା ଦ୍ବାରା ଫସଲ ନଷ୍ଟ ମଧ୍ୟ ହେଉଥିଲା । ପରବର୍ତ୍ତୀ ସମୟରେ ଉକ୍ତ ପୋଷା ଦନ୍ତାହାତୀ ନିଖୋଜ ହୋଇଯାଇଥିଲା । ବୌଦ୍ଧ ବନ ବିଭାଗ ହାତୀ ସମ୍ପର୍କରେ କୌଣସି ସଠିକ୍ ସୂଚନା ପାଉନଥିଲି । ଶେଷରେ ଉକ୍ତ ଦନ୍ତାହାତୀ କଣ୍ଟାମାଳ ବନାଞ୍ଚଳର ଥିବା ଜଣାପଡିଥିଲା ।