ବୌଦ୍ଧ: ଗ୍ରୀଷ୍ମ ଋତୁର ଆରମ୍ଭରୁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖିବାକୁ ମିଳୁଛି । ସରକାର ଏହି ଅଞ୍ଚଳରେ ଓଭର ହେଡ଼ ପାଣି ଟାଙ୍କି ଲଗାଇଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଜିଲ୍ଲାର ଉପାନ୍ତ ଅଞ୍ଚଳମାନଙ୍କରେ ଥିବା ବିଭିନ୍ନ ସରକାର ଓଭର ହେଡ ପାଣି ଟାଙ୍କି ସହ ପାଇପ ବ୍ୟବସ୍ତା କରିଛନ୍ତି । କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏସବୁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ବିଶେଷ ଭାବରେ ଜିଲ୍ଲାର ଆମ୍ବଝରୀ, ଟିକରପଡା, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ବରଗୋଛା ଭଳି ଉପାନ୍ତ ପଞ୍ଚାୟତର ଅନେକ ଗାଁରେ ପାନୀୟଜଳ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି । ଏନେଇ ପଞ୍ଚାୟତରେ ଅନୁରୋଧ କରାଗଲେ ମଧ୍ୟ ଭୋଟ ରାଜନୀତି କାରଣରୁ ପରୋକ୍ଷରେ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା ଚର୍ଚ୍ଚା ହେଉଛି ।