ବୌଦ୍ଧ: ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ଅଭାବ । ଏନେଇ ଅଞ୍ଚଳର ବାସିନ୍ଦା ବ୍ଲକ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟଜଳର ଉତ୍କଟ ଅଭାବ ସାଧାରଣ ଲୋକଙ୍କ ଦୁଃଖ ବେଶ ବଢାଇ ଦେଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଗ୍ରାମ ଗୁଡିକରେ ଗତ କିଛି ଦିନ ହେଲା ପ୍ରବଳ ଖରା ଯୋଗୁଁ ଝରଣା ପୋଖରୀ ସବୁ ଶୁଖିଗଲାଣି ।
ସେପଟେ ଅନେକ ସ୍ଥାନରେ ନଳକୂପ ଗୁଡିକ ନଥିବା କିମ୍ବା ଅଚଳ ଯୋଗୁଁ ଏହି ସମସ୍ୟା ଆହୁରି ବଢିଯାଇଛି ଫଳରେ ଅଞ୍ଚଳର ଅଧିବାସୀ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରୁଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସୀମାନ୍ତ ଗ୍ରାମ ବଦଲା କଲୋନୀ ସାହିରେ ଥିବା ନଳକୂପ ଅଚଳ ହୋଇପଡିଥିବାରୁ ସ୍ଥାନୀୟ ବାସିନ୍ଦା ଏକ ପାହାଡି ଝରଣାର ଦୂଷିତ ପାଣି ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି ।