ବୌଦ୍ଧ:ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି ଆଲୋକର ପର୍ବ ଦୀପାବଳି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପାବଳି ଉତ୍ସବ ସହିତ ମା' କାଳୀଙ୍କ ପୂଜନ ହୋଇଛି । ଏହାରି ଭିତରେ ବୁଣାକାର ସମ୍ପ୍ରଦାୟର ନିଆରା ଢଙ୍ଗରେ ବଡ଼ ବଡିଆଙ୍କୁ ଡାକ ବେଶ ଆକର୍ଷଣୀୟ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ମା' ମହାକାଳୀଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ସେପଟେ ବାଣ ବିକ୍ରି ଉପରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ ସତ୍ତ୍ବେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଣ ବିକ୍ରି ହେବା ସହିତ ସନ୍ଧ୍ୟାରେ ଫୁଟାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ହେଲେ ଅଧିକାଂଶ ସ୍ଥାନରେ ଗ୍ରୀନ କ୍ରାକର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି ।
ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ମାରଓ୍ବାଡି ସମ୍ପ୍ରଦାୟର ଘରେ ଘରେ ସ୍ବତନ୍ତ୍ର ମିଠା ତଥା ରଙ୍ଗୋଲୀ ବେଶ ଆକର୍ଷଣୀୟ ହୋଇଥିଲା । ଆଲୋକର ପର୍ବ ଦୀପାବଳି ଉତ୍ସବ ପାଇଁ ଜିଲ୍ଲାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଆଜି ଦୀପାବଳି ଅବସରରେ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଆଳତୀ ଘାଟରେ 'ମହାନଦୀ ଆଳତୀ'ର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବୌଦ୍ଧ ଜିଲ୍ଲାର କଳାଗ୍ରାମ, ନାରାୟଣ ନଗର, ସାହାଜପାଲ, ବାଉଁଶୁଣୀ, ମନମୁଣ୍ଡା, ଗବଯୋର, ବାଘପାଲି, ବୁଟୁପାଲି, ମର୍ଜାକୁଦ ଭଳି ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଭୁଲିଆ ସମ୍ପ୍ରଦାୟର ଲୋକଙ୍କ ବଡ଼ ବଡିଆଙ୍କୁ ଡାକ ବେଶ ଆକର୍ଷଣୀୟ ହୋଇଥିଲା । 'ରଜା ବାହାବେ, ଖଣ୍ଡ ଖଜା ଖାବେ' ଭଳି ଏକ ସ୍ଵତନ୍ତ୍ର ଗୀତ ଗାଇ ବସ୍ତି ଭ୍ରମଣ କରି ନିଜ ପିତୃପୁରୁଷଙ୍କୁ ଅନ୍ଧାରରେ ଆସି ଉଜ୍ଜ୍ୱଳରେ ଯିବାକୁ ଡାକ ଦିଆଯାଇଥିଲା ।