ବୌଦ୍ଧ:ସ୍କୁଲ ଛାତ୍ରଙ୍କ ଭିନ୍ନ ଉଦ୍ୟମ । ଚାଷୀଙ୍କ ପାଇଁ ତିଆରି କଲେ କୀଟନାଶକ ପ୍ରୟୋଗ କରିବା ଯନ୍ତ୍ର । ତେବେ ଚାଷୀ ବିଲରେ କିଟନାଶକ ପ୍ରୟୋଗ କରିବା ସମୟରେ ଏହାର ସଂସ୍ପର୍ଶରେ ଆସି ଅନେକ ରୋଗର ସମ୍ମୁଖୀନ ହେଉ ଥିବା ବେଳେ ଏଥିରୁ ଚାଷୀଙ୍କୁ ଦୂରେଇ ରଖିବା ପାଇଁ ଜଣେ ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି ମାନବ ବିହୀନ ମଡେଲ । ଏହି ମଡେଲକୁ ରିମୋର୍ଟରେ କଣ୍ଟ୍ରୋଲ କରି ଚାଷୀମାନେ ବିଲରେ ଔଷଧ ପକାଇପାରିବ । ବୌଦ୍ଧରେ ଜିଲ୍ଲା ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମରେ ଅବସରରେ ଜଣେ ଛାତ୍ର ଓ ଗାଇଡ ଶିକ୍ଷକଙ୍କ ଦ୍ବାରା ଏହି ମାନବ ବିହୀନ ମଡେଲ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା ।
ଶିଶୁ ଓ କିଶୋର ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାରେ ଆୟୋଜିତ ହେଉଛି ସରଗି ଫୁଲ କାର୍ଯ୍ୟକ୍ରମ । ଏଭଳି କାର୍ଯ୍ୟକ୍ରମରେ ଜଣେ ଛାତ୍ର ଓ ଗାଇଡ ଶିକ୍ଷକଙ୍କ ଦ୍ବାରା ପ୍ରସ୍ତୁତ ମାନବ ବିହୀନ ମଡେଲ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା । କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଚାଷ ସହିତ ମାଣ୍ଡିଆ, ମକା ଓ ପର୍ଯ୍ୟାପ୍ତ ଅଞ୍ଚଳରେ କପାଚାଷ ହୋଇ ଆସୁଛି । ତେବେ ଫସଲ ଅମଳ ସମୟରେ ରୋଗ ପୋକ ଫସଲରେ ଲାଗିବା ଏକ ସାଧାରଣ କଥା ହୋଇଥାଏ । ତେଣୁ ଚାଷୀ ନିଜ ଜମିରେ କୀଟନାଶକ ଔଷଧର ପ୍ରୟୋଗ କରିଥାଏ । ତେବେ ଏହି କୀଟନାଶକ ପ୍ରୟୋଗ ସମୟରେ କୀଟନାଶକ ସଂସ୍ପର୍ଶରେ ଆସିବା ଫଳରେ ନିଜେ ଚାଷୀ ଅସୁବିଧାର ସମ୍ମୁଖୀନ ହୋଇ ଏହାର ପ୍ରଭାବରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଏ । ତେଣୁ ଏସବୁ ସମସ୍ୟାକୁ ଦୂରୀଭୂତ କରିବା ପାଇଁ ଜଣେ ଆଦିବାସୀ ଛାତ୍ର ନିଜ ଶିକ୍ଷକଙ୍କ ସହାୟତାରେ ଏକ ମାନବବିହୀନ ଯନ୍ତ୍ର ଉପକରଣ ପ୍ରସ୍ତୁତ କରିଛନ୍ତି ।