ବୌଦ୍ଧ: ବୀର ଭୂମିର ମାଟି ପଠାଯିବ ଦିଲ୍ଲୀ ଦରବାର । ଆଉ ଏଥିପାଇଁ ଗତକାଲି(ମଙ୍ଗଳବାର) ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ବରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବୌଦ୍ଧ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀଙ୍କ ପୀଠ ବନପାଲି,ବାଉଶୁଣୀ,ବଘିଆବାହାଲ ଭଳି ସ୍ଥାନ ସମେତ ଜିଲ୍ଲାର ବୀରପୁତ୍ର ଯେଉଁମାନେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି ସେମାନଙ୍କ ଜନ୍ମ ଭୂମିରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯିବ ବୋଲି ସୂଚନା ମିଳିଛି ।
କାର୍ଯ୍ୟକ୍ରମରେ ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲଙ୍କ ସମେତ ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇ କେନ୍ଦ୍ରର ମୋଦି ସରକାରଙ୍କ ନ ବର୍ଷର ସରକାରର ସଫଳତା ବର୍ଣ୍ଣନା କରିଥିଲେ । ଭାରତୀୟଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହିତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅତିଥି ମାନେ ବିଶଦ ଭାବେ ବର୍ଣ୍ଣନା କରିଥିଲେ ।
ତେବେ ଓଡ଼ିଶାର ବିଜେଡି ନେତା ଓ ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ହଡ଼ପ କରାଯାଉଥିବା ନେଇ ଅଭିଯୋଗ କରାଯାଇଥିଲା । ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା, ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ନିଜ ନାମରେ ଚିତ୍ରିତ କରୁଥିବା ନେଇ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି ।