ବୌଦ୍ଧ:ଏଣିକି ଖସି ପାରିବେନି ଆଉ ସରକାରୀ କର୍ମଚାରୀ ।ସରକାରୀ ଚାକିରି କ୍ଷେତ୍ରରେ ଠକ କର୍ମଚାରୀଙ୍କ ପାଇଁ ଏଣିକି କଠୋର ହୋଇଛନ୍ତି ଜିଲ୍ଲାପାଳ । ଗତ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗ ଆଉ ବର୍ତ୍ତମାନ ରାଜସ୍ୱ ବିଭାଗର ଠକ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆକ୍ସନ ମୁଡକୁ ଆସିଛନ୍ତି ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ । ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାରେ ଅଗଷ୍ଟ ୧୩ ତାରିଖରେ ଯୋଗଦାନ ପରଠୁ ସରକାରଙ୍କ ୫ଟିକୁ କଠୋର ଭାବରେ ପାଳନ କରି ଆସୁଛନ୍ତି ।
କେତେକ ତଥାକଥିତ ଟାଉଟର, ନେତା ଓ ଅଗଲିଆଙ୍କ ଦ୍ବାରା ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ତଥାପି ବିଭିନ୍ନ 5t ବିଦ୍ୟାଳୟରେ ଖୋଦ୍ ଜିଲ୍ଲାପାଳ ପହଞ୍ଚି ସେଠାକାର ଶିକ୍ଷାଦାନ ବ୍ୟବସ୍ଥା, ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ତଦାରଖ କରି ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି କଣ୍ଟାମାଳ ବ୍ଲକ ଅଇଁଳାଚୂଆ ଆଦର୍ଶ ବିଦ୍ୟାଳୟରେ ନିମ୍ନମାନର କାମ ଯୋଗୁଁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗତ ସପ୍ତାହରେ ଜିଲ୍ଲାପାଳ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରେ କାର୍ଯ୍ୟ ସମୟରେ କୌଣସି ଡାକ୍ତର ନଥିବା ସୂଚନା ପାଇ ଏହାର ତଦନ୍ତ ପରେ ସମସ୍ତଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର ଦିନ ଆକସ୍ମିକ ଭାବରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରିଥିଲେ । ଉପସ୍ଥାନ ରେଜିଷ୍ଟାର ସହିତ ଅନ୍ୟ କାଗଜପତ୍ର ଯାଞ୍ଚ କରିଥିଲେ ।