ବୌଦ୍ଧ:ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ବର୍ତ୍ତମାନ ମରଣ ଯନ୍ତା ପାଲଟିଛି । ସେପଟେ ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡିଛି । ଜିଲ୍ଲାର ମୋଟ ୬ ଗୋଟି ଥାନା ଅଧିନରେ ୨୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ପ୍ରବଣ ଅଞ୍ଚଳ RTO ବିଭାଗ ଚିହ୍ନଟ କରିଥିବା ବେଳେ ତାହା କେବଳ ଗଣନାରେ ହିଁ ରହିଯାଇଛି ।
ଜିଲ୍ଲାର ଏଭଳି ଅବସ୍ଥାକୁ ନେଇ ଗତ ସପ୍ତାହରେ ଖୋଦ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସଡକ ସୁରକ୍ଷା କମିଟିର ବୈଠକରେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ କେବଳ ତିନି ଜଣ ଟ୍ରାଫିକ କର୍ମଚାରୀଙ୍କ ଭରସାରେ ସିମିତ ଟ୍ରାଫିକ ବ୍ୟବସ୍ଥା । ତେବେ ଗତ ମଙ୍ଗଳବାର ଦିନ ବୌଦ୍ଧ ବସଷ୍ଟାଣ୍ଡ ସମ୍ମୁଖରେ ଦିନ ଦ୍ବିପହରରେ ଜାତୀୟ ରାଜପଥ ଉପରେ ଏକ ଟ୍ରକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସହରର ଟ୍ରାଫିକ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନବାଚୀ ।