ବୌଦ୍ଧ: ଅଲୋଡା ହେଲେ କାଳିଆ ଠାକୁର । ପୁଣିଥରେ କୋଟିଆ ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ(Disrespect to Lord Jagannath) । ତାହା ପୁଣି ଅନ୍ୟ କେଉଁଠି ନୁହେଁ, ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହିଭଳି କିଛି ଅଭାବନୀୟ ଦୃଶ୍ୟ । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛାତ ଉପରେ ବିଶ୍ବନିୟନ୍ତା ଜଗନ୍ନାଥଙ୍କ ଏକ ସୋଲ ପ୍ରତିମା ଫୋପାଡି ଦିଆଯାଇଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି ।
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପର ମହଲାରେ ଦୀର୍ଘ ଦିନ ହେଲା ସୋଲରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ପ୍ରତିମା ରଖାଯାଇଥିଲା । ପ୍ରତିମାକୁ ପୂଜା କରାଯାଉ ନଥିବା ବେଳେ ବୌଦ୍ଧ ମହୋତ୍ସବ ପରେ ସେଠାରୁ ଉକ୍ତ ପ୍ରତିମୂର୍ତ୍ତିକୁ ଅଣାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରଖାଯାଇଥିଲା । ତେବେ ଗତ ଦୁଇ ଦିନ ତଳେ ଉକ୍ତ ସୋଲର ଶ୍ରୀଜଗନ୍ନାଥଙ୍କ ପ୍ରତିମାକୁ ଛାତର ଏକ କୋଣରେ ଫୋପାଡ଼ି ଦିଆଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ।
ତେବେ ଏଭଳି ଖବର ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଭଙ୍ଗା ପ୍ରତିମାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏଭଳି ଘଟଣାକୁ ନେଇ ବୌଦ୍ଧ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କିଏ ଓ କେଉଁ ପରିସ୍ଥିତିରେ ଠାକୁରଙ୍କୁ ସେଠାରେ ରଖିଲା ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।