ବୌଦ୍ଧ: ଦେଶ ତଥା ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା । ହେଲେ ସରକାରଙ୍କ ଏହି ସବୁ ଯୋଜନା ବାଟମାରଣା ହେଉଛି । ସ୍ବାଧୀନତାର 73 ବର୍ଷ ପରେ ବି ଏମିତି କିଛି ଗାଁ ଅଛି, ଯେଉଁଠି ଗମନାଗମନଠୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ ମୌଳିକ ସୁବିଧା ବାଦ୍ ପଡିଛି । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତର । ମହାନଦୀ କୂଳକୁ ଲାଗି ରହିଥିବା ଏହି ପଞ୍ଚାୟତର ମୁଖ୍ୟ ସମସ୍ୟା ମଧ୍ୟରୁ ଗମନାଗମନ, ସ୍ବାସ୍ଥ୍ୟ ଓ ଚାଷ ଅନ୍ୟତମ । ଆଉ ପଞ୍ଚାୟତର ଅନ୍ୟ ବ୍ୟବସ୍ଥା କିଭଳି ହୋଇଥିବ, ତାହା ଗାଁ ପରିମଳ ଧୋବା ତୁଠରୁ ଅନୁମେୟ ।
ଧଳପୁର ପଞ୍ଚାୟତବାସୀ ଚାଷ କାମ ନିମନ୍ତେ ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କାରଣ ଅଧିକ ବର୍ଷା ହେଲେ ମହାନଦୀ ଜଳ ଜମିରେ ପଶି ସମ୍ପୂର୍ଣ୍ଣ ଚାଷକୁ ନଷ୍ଟ କରୁଥିବାବେଳେ ବର୍ଷା ଅଭାବ ଯୋଗୁଁ ମରୁଡି ଦେଖାଯାଇଥାଏ । ପ୍ରସ୍ତାବିତ ମେଗା ଜଳସେଚନ ପ୍ରକଳ୍ପ ଆଜି ବି ଏହି ପଞ୍ଚାୟତବାସୀଙ୍କ ପାଇଁ ସ୍ବପ୍ନ ଭଳି ।