ଓଡିଶା

odisha

ETV Bharat / state

ଶ୍ରାବଣର ଶେଷ ସୋମବାରରେ କାଉଡିଆଙ୍କ ଭିଡ଼, ପ୍ରାଚୀନ ଶୈବପୀଠରେ ଅନ୍ଧକାରରେ ଜଳଲାଗି କଲେ ଭକ୍ତ

ଶ୍ରାବଣ ମାସର ଶେଷ ସୋମବାର ନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ । ଅନ୍ୟପଟେ ଐତିହ୍ୟପୂର୍ଣ୍ଣ ଶୈବପୀଠର ବିକାଶ ହୋଇ ନଥିବାରୁ ଜିଲ୍ଲାବାସୀ ଅସନ୍ତୋଷ । ଅଧିକ ପଢନ୍ତୁ

ଶ୍ରାବଣ ମାସର ଶେଷ ସୋମବାରରେ କାଉଡିଆଙ୍କ ଭିଡ଼
ଶ୍ରାବଣ ମାସର ଶେଷ ସୋମବାରରେ କାଉଡିଆଙ୍କ ଭିଡ଼

By ETV Bharat Odisha Team

Published : Aug 28, 2023, 11:36 AM IST

Updated : Aug 28, 2023, 12:30 PM IST

last monday of sawan month

ବୌଦ୍ଧ: ଆଜି ଶ୍ରାବଣ ମାସର ଶେଷ ସୋମବାର । ଜଳଲାଗି ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ । ହେଲେ ଜିଲ୍ଲାର ଗୌରବମୟ ଐତିହ୍ୟପୂର୍ଣ୍ଣ ଶୈବପୀଠର ବିକାଶ ହୋଇ ନଥିବାରୁ ତାହା ଏବେ ଅନ୍ଧକାର ମଧ୍ୟରେ ରହିଯାଇଛି । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବିଶେଷ ଭାବରେ ଧଳପୁର, ରାମଗଡ଼, ବୁରୁବୁଡା, କୁଶଙ୍ଗ, ପୁରୁଣା କଟକ, କରଡ଼ି, ଚନ୍ଦ୍ରଚୂଡ଼, ମାତଙ୍ଗେଶ୍ବର, ଖଲିଆପାଲି,ମଲ୍ଲିକପଡା ଭଳି ବିଭିନ୍ନ ସ୍ଥାନରେ ଥିବା ଶୈବପୀଠଗୁଡ଼ିକରେ ଆଜି ବିଳମ୍ୱିତ ରାତିରୁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଆଜି ଶେଷ ସୋମବାର ଉପଲକ୍ଷେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କିନ୍ତୁ ଏଭଳି ସମୟରେ ବୌଦ୍ଧ ଜିଲ୍ଲାର ଗୌରବମୟ ଐତିହ୍ୟର ମୁକସାକ୍ଷୀ ରୂପେ ଦଣ୍ଡାୟମାନ ଦୁଇ ଜାତୀୟ ସ୍ମାରକୀ ଅତ୍ୟନ୍ତ ଅବହେଳିତ ହୋଇ ପଡ଼ିଲା ଭଳି ମନେ ହୋଇଛି । ଜିଲ୍ଲା ସଦର ମହକୁମାରେ ଥିବା ନବମ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ଵାରା ନିର୍ମିତ ରାମେଶ୍ବର ମନ୍ଦିର ସମୂହ ଓ ଗନ୍ଧରାଡ଼ିର ବିଶ୍ଵ ପ୍ରସିଦ୍ଧ ହରିହରଙ୍କ ଯମଜ ମନ୍ଦିର ଦେଶ ସ୍ବାଧୀନତା ପରେ କେନ୍ଦ୍ର ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗ ଅଧିନରେ ରହିଥିଲା ।

ଉକ୍ତ ଦୁଇ ପ୍ରାଚୀନ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଓ ଏଗୁଡ଼ିକର ଉନ୍ନତିକରଣ ଦାୟିତ୍ଵ ଏଏସ ଆଇ ଗ୍ରହଣ କରିଥିଲେ । ରାମେଶ୍ବର ମନ୍ଦିର ସ୍ବତନ୍ତ୍ର ନାଲି ଡାଳିମ୍ଵା ରଙ୍ଗର ପଥରରେ ନିର୍ମିତ ହୋଇଥିବା ବେଳେ ଉତ୍କଳୀୟ ମନ୍ଦିର କଳା ସ୍ଥାପତ୍ୟର ଏହା ହେଉଛି ଅପୂର୍ବ ନିଦର୍ଶନ । ସୋମବଂଶୀ ଶାସକଙ୍କ ଦ୍ବାରା ଏଠାରେ ଏକାଦଶ ରୁଦ୍ରଙ୍କ ନିମନ୍ତେ ସ୍ବତନ୍ତ୍ର ମନ୍ଦିର ନିର୍ମାଣ ହୋଇଥିଲା । ପୂର୍ବରୁ ଅନେକ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଭାଙ୍ଗି ଯାଇ ତନ୍ମଧ୍ୟରୁ କେବଳ ତିନୋଟି ପ୍ରାଚୀନ ମନ୍ଦିର ଦଣ୍ଡାୟମାନ । ସେହିପରି ଗନ୍ଧରାଡ଼ିର ବିଶ୍ଵ ପ୍ରସିଦ୍ଧ ହରିହରଙ୍କ ଯମଜ ମନ୍ଦିର ମଧ୍ୟରେ ସିଦ୍ଧେଶ୍ୱର ମହାଦେବ ଓ ନୀଳମାଧବ ହରି ରୂପରେ ପୂଜିତ ହୋଇ ଆସୁଛନ୍ତି । ହେଲେ ଏହି ଦୁଇ ପ୍ରାଚୀନ ପୀଠ ବର୍ତ୍ତମାନ ଅତ୍ୟନ୍ତ ଅବହେଳିତ ହୋଇ ପଡିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଶ୍ରାବଣ ଶେଷ ସୋମବାର, ଚଳଚଞ୍ଚଳ ଖୋର୍ଦ୍ଧାର ପ୍ରମୁଖ ଶୈବପୀଠ

ବୌଦ୍ଧର ରାମେଶ୍ବର ମନ୍ଦିର ସମୂହ ଓ ଗନ୍ଧରାଡ଼ିର ହରିହର ମନ୍ଦିରର ଏବଂ ବଲାଙ୍ଗୀରର ରାଣୀପୁର ଝରିଆଲର ବିକାଶ ପାଇଁ ପ୍ରଧାନମନ୍ତ୍ରୀ 20 କୋଟି ଟଙ୍କା ଘୋଷଣା କରିଥିଲେ । କିନ୍ତୁ ଉକ୍ତ ଘୋଷଣା କେବଳ ଘୋଷଣାରେ ରହିଗଲା । ରାଣୀପୁର ଝରିଆଲର ବିକାଶ କାର୍ଯ୍ୟ ଚାଲିଥିବା ବେଳେ ବୌଦ୍ଧର 2ଟି ସ୍ଥାନର କୌଣସି ବିକାଶ କାର୍ଯ୍ୟ ହୋଇନାହିଁ । ଏନେଇ ବୌଦ୍ଧ ନାଗରିକ କମିଟି ପକ୍ଷରୁ ବିଗତ ଦିନରେ ଆନ୍ଦୋଳନ ସହିତ ଏହାର ଉନ୍ନତିକରଣ ପାଇଁ ଦାବି କରାଯାଇଛି । ଏହି ଦୁଇ ପ୍ରାଚୀନ ଐତିହ୍ୟର ଏଭଳି ଦୂରାବସ୍ଥାକୁ ନେଇ ଶ୍ରଦ୍ଧାଳୁ, ପର୍ଯ୍ୟଟକ, ସେବାୟତ, ବୁଦ୍ଧିଜୀବୀ, ନାଗରିକ କମିଟି ପକ୍ଷରୁ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହିତ ଏହାର ବିକାଶ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Aug 28, 2023, 12:30 PM IST

ABOUT THE AUTHOR

...view details