ଓଡିଶା

odisha

ETV Bharat / state

ବୌଦ୍ଧରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ ଯାତ୍ରା, ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ

ପବିତ୍ର ମହାସ୍ନାନ ପୂର୍ଣ୍ଣିମାରେ ହୋଇଛି ମହାପ୍ରଭୁଙ୍କ ସ୍ନାନ ନୀତି। ଏହି ଦିବ୍ୟ ଲୀଳା ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ବଜ୍ରକ୍ଷେତ୍ର ବୌଦ୍ଧ ଜିଲ୍ଲାର 3ଟି ବ୍ଲକର ବିଭିନ୍ନ ଜଗନ୍ନାଥଙ୍କ ମନ୍ଦିରରେ ପାଳନ ହୋଇଛି ଦେବସ୍ନାନ ପୂର୍ଣ୍ଣିମା। ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ସ୍ନାନ ନୀତି
ମହାପ୍ରଭୁଙ୍କ ସ୍ନାନ ନୀତି

By

Published : Jun 4, 2023, 5:42 PM IST

Updated : Jun 4, 2023, 6:02 PM IST

deva snana purnima

ବୌଦ୍ଧ:ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ବୌଦ୍ଧ ଜିଲ୍ଲାର ଶତାଧିକ ଶ୍ରୀଜଗନ୍ନାଥ ମନ୍ଦିରରେ ବିଧି ପୂର୍ବକ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଦର ମହକୁମାର ଗଡଖାଇ ତଥା ମହାନଦୀ କୂଳରେ ଅବସ୍ଥିତ ଏହି ମନ୍ଦିରରେ ଶତାଧିକ ବର୍ଷରୁ ପ୍ରଚଳିତ ପରମ୍ପରା ଅନୁସାରେ ସ୍ନାନ ନୀତି କରାଯାଇଛି । ମହାନଦୀର 108 ଗରା ପବିତ୍ର ଜଳରେ ବଡ ଠାକୁରଙ୍କୁ ସ୍ନାନ କରାଇଛନ୍ତି ବ୍ରାହ୍ମଣ ସେବାୟତ । ଓଡିଆ ଜାତିର ପ୍ରାଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ଆଜି ଶ୍ରୀକ୍ଷେତ୍ର ସମେତ ଓଡିଶା, ଭାରତ ଏପରିକି ପୃଥିବୀର ଅନେକ ସ୍ଥାନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ବିଧି ମୁତାବକ ସମ୍ପନ୍ନ ହୋଇଛି ।

ନୀଳମାଧବଙ୍କ ଅନନ୍ୟ ପୀଠ ତଥା ବଜ୍ରକ୍ଷେତ୍ର ବୌଦ୍ଧ ଜିଲ୍ଲାର 3ଟି ବ୍ଲକର ବିଭିନ୍ନ ଜଗନ୍ନାଥଙ୍କ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହିତ ସ୍ନାନଯାତ୍ରା ସମାପନ ହୋଇଛି । ଠିଡିକାଯୋର,ହରଭଙ୍ଗା, ପୁରୁଣାକଟକ, ତିଲେଶ୍ବର, ବୀରନରସିଂପୁର, ସାହାଜପାଲ,ବାଉଁଶୁଣୀ, ନାରାୟଣନଗର, ମନମୁଣ୍ଡା, ବରାହପଥର, କଣ୍ଟାମାଳ,ଘଣ୍ଟାପଡା ଭଳି ଅନେକ ସ୍ଥାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ମହାଆଡମ୍ବର ସହକାରେ ପାଳନ କରାଯାଇଛି । ବୌଦ୍ଧ ଜିଲ୍ଲାର ପାତାଳୀ କ୍ଷେତ୍ର ଭାବରେ ପରିଚିତ ନାଏକପଡା ଗୁମ୍ଫା, ବୁଟୁପାଲି, ଫାଉପାଲି,ମଥୁରା ଭଳି ସ୍ଥାନରେ ମଧ୍ୟ ନିଆରା ଶୈଳୀରେ ଏହି ସ୍ନାନ ଯାହା ପାଳନ କରାଯାଇଥିଲା ।

ତେବେ ବୌଦ୍ଧ ଗଡଜାତର ଭଞ୍ଜ ବଂଶୀୟ ରାଜାଙ୍କ ଦ୍ବାରା ସହରର ମହାନଦୀ ଓ ଗଡଖାଇ କୂଳରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଶୋଭା ଅତ୍ୟନ୍ତ ମନଲୋଭା । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ପୂର୍ବରୁ ବିଧି ମୁତାବକ ସ୍ନାନ ଯାତ୍ରା ସ୍ଥାନୀୟ ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜ ଓ ବୌଦ୍ଧର ବୁଦ୍ଧିଜୀବୀଙ୍କ ସହଯୋଗରେ ସମ୍ପନ୍ନ ହୋଇଥାଏ । ଆଜି ମଧ୍ୟ ପ୍ରତ୍ୟୁଷରୁ ଠାକୁରଙ୍କ ନୀତିକାନ୍ତି ଓ ଭୋଗ ଲାଗି ହେବା ପରେ ବ୍ରାହ୍ମଣ ସେବାୟତମାନେ ମହାନଦୀରୁ 108 ପିତଳ ଗରାରେ ପବିତ୍ର ଜଳ ଆଣିଥିଲେ । ସକାଳ ପ୍ରାୟ 8ଟା ବେଳକୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଗର୍ଭଗୃହରୁ ପହଣ୍ଡିରେ ସେବାୟତମାନେ ଆଣି ସ୍ନାନ ବେଦୀରେ ଆରୂଢ଼ କରାଇଥିଲେ । ଏହାପରେ ପ୍ରାୟ 11.30 ମିନିଟରେ ଶ୍ରୀଜୀଉମାନଙ୍କୁ ବିଧି ମୁତାବକ ପୂଜାର୍ଚ୍ଚନା ପରେ ସ୍ନାନ ବିଧି ସମ୍ପନ୍ନ କରାଯାଇଥିଲା ।

ବୌଦ୍ଧ ଅଞ୍ଚଳରେ ହଜାର ହଜାର ଶ୍ରୀଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଓ ଭକ୍ତମାନେ ପହଞ୍ଚି ଦର୍ଶନ କରିଥିବାବେଳେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରବୀନ୍ଦ୍ରନାଥ କହଁର ପ୍ରମୁଖ ମନ୍ଦିରରେ ପହଞ୍ଚି ଥିଲେ । ଘଣ୍ଟ ଘଣ୍ଟା, ସଙ୍କୀର୍ତନ୍ୟ ବାଦ୍ୟ ମଧ୍ୟରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ ସମାପନ ହୋଇଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ମୃତୁଞ୍ଜୟ ମିଶ୍ର, ସଂପାଦକ ଶଙ୍କର ପୁରୋହିତ, ବ୍ରାହ୍ମଣ ସମାଜର ସମ୍ପାଦକ ଦେବାଶିଷ ପୁରୋହିତ ପ୍ରମୁଖଙ୍କ ସମେତ ସମସ୍ତ କମିଟିର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ସଂଧ୍ୟାରେ ବଡ ଠାକୁର ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର ବ୍ୟବସ୍ଥାଥିବାବେଳେ ଆଜି ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଇଟିଭି ଭାରତ, ବୌଦ୍ଧ

Last Updated : Jun 4, 2023, 6:02 PM IST

ABOUT THE AUTHOR

...view details