ବୌଦ୍ଧ:ଜିଲ୍ଲାରେ ଅନାବୃଷ୍ଟି ଯୋଗୁଁ ଆସନ୍ନ ମରୁଡିର ପଦଧ୍ବନି ।ଏହାକୁ ନେଇ ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ ସହ ଗୁରୁଜୀମୁଣ୍ଡା ଠାରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଶ୍ରାବଣ ମାସ ସରିବାକୁ ବସିଲାଣି । ହେଲେ ଗତ ଦେଢମାସରୁ ଊର୍ଦ୍ଧ୍ବ ସମୟ ହେଲା ଜିଲ୍ଲାରେ ବର୍ଷାର ଦେଖା ନାହିଁ । ଫଳରେ ଆସନ୍ନ ମରୁଡି ପରିସ୍ଥିତି ସ୍ପଷ୍ଟ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ଅଧିକାଂଶ ସ୍ଥାନରେ ଅନାବୃଷ୍ଟି ଯୋଗୁଁ ଚାଷ ଜମି ସବୁ ଫାଟି ଆଁ କଲାଣି । ଅନେକ ସ୍ଥାନରେ ଧାନ ଚାଷ ସବୁ ଜଳିପୋଡି ଗଲାଣି । ଜମି ତ ଜମି କେନାଲ ମଧ୍ୟ ଫାଟି ଗଲାଣି । ଏନେଇ ବାରମ୍ବାର ଜିଲ୍ଲା ବିଜେପି ଓ କିଷାନ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହେବା ସହ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ସହିତ ଆଲୋଚନା କରାଯାଉଛି ।