ବୌଦ୍ଧ: ଅଶ୍ଳୀଳ ବୋଲି ସହିତ ଆରମ୍ଭ ହେଲା ପାରମ୍ପରିକ ଚୂଡାଖାଇ ଯାତ୍ରା । ନୂଆ ଧାନରୁ ପ୍ରସ୍ତୁତ ଚୂଡାକୁ ମା' ମାହେଶ୍ବରୀଙ୍କ ନିକଟରେ ଅର୍ପଣ ପୂର୍ବକ ଏହି ପାରମ୍ପରିକ ପର୍ବର ଡଙ୍ଗର ଯାତ୍ରାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା ।
ଭିନ୍ନ ପରମ୍ପରା ସହିତ ଭିନ୍ନ ଧରଣର ଯାତ୍ରା । ଡଙ୍ଗର ବା ବଣ ପାହାଡର ଅଦ୍ଭୁତ ଉପାସନାର ପର୍ବ ଡଙ୍ଗର ଯାତ୍ରା । ଆଧ୍ୟାତ୍ମିକତା ସହିତ ପ୍ରକୃତି ଉପାସନାର ମହା ମିଳନ ଏହି ଯାତ୍ରାରେ ପରିଲକ୍ଷିତ ହୋଇଥାଏ । ବୌଦ୍ଧ ଜିଲ୍ଲାର 52 ଖଣ୍ଡ ମୌଜାକୁ ନେଇ ଗଠିତ ପଞ୍ଚରା । 5 ଟି ଜମିଦାରୀକୁ ନେଇ ଗଡଜାତ ସମୟରେ ଗଠିତ ଏହି ପଞ୍ଚରାର ଆରାଧ୍ୟ ଦେବୀ ହେଉଛନ୍ତି ମା' ମାହେଶ୍ବରୀ । ପ୍ରତି ବର୍ଷ ଚୂଡାଖାଇ ଯାତ୍ରା ଦେବୀଙ୍କ ମୁଖ୍ୟ ପର୍ବ । ତେବେ ଏହି ଚୂଡାଖାଇ ଯାତ୍ରା ଦୀର୍ଘ ଆଠ ଦିନଧରି ଅନୁଷ୍ଠିତ ହୋଇଥାଏ । ଏହା ମାର୍ଗଶୀର ମାସର ଶେଷ ଗୁରୁବାର ଦିନ ଡଙ୍ଗର ଯାତ୍ରାରୁ ଆରମ୍ଭ ହୋଇଥାଏ ।