ବୌଦ୍ଧ: ଦୀର୍ଘ ଦୁଇ ବର୍ଷ ପରେ ବୌଦ୍ଧରେ ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା । ଗାଁଠୁ ନେଇ ସହର ସବୁଠି ଆନନ୍ଦ ଓ ଶ୍ରଦ୍ଧାର ସହ ପାଳିତ ହେଉଛି ଏହିଯାତ୍ରା । ଏହାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ଦଣ୍ଡ ଯାତ୍ରା ସହିତ ଜଡ଼ିତ ଉଭୟ କଳାକାର ଓ ମାନସିକଧାରୀ ଶ୍ରଦ୍ଧାଳୁ । କୋରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦଥିବା ଦଣ୍ଡ ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି ।
ଦଣ୍ଡ ଯାତ୍ରାର ଉତ୍ପତ୍ତି ସ୍ଥାନ ଭାବରେ ପରିଚିତ ବୌଦ୍ଧ ଅଞ୍ଚଳରେ ପ୍ରାଚୀନ କାଳରୁ ଶୈବଶାକ୍ତ ଉପାସନା ସହିତ ଷୋହଳ ଖାଡ଼ି ବାଦ୍ୟ ଉପଯୋଗରେ ଷୋଳହ ସୁଆଙ୍ଗ ନୃତ୍ୟ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରୁ ଦଣ୍ଡ ଯାତ୍ରା ଦଳ ଗୁଡ଼ିକ ତେର ଓ ଏକୋଇଶ ଦିନକୁ ଧାର୍ଯ୍ୟ କରି ଯାତ୍ରା ପାଳନ କରାଯାଇଥାଏ ।