ବୌଦ୍ଧ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା 'ଫନି' ତାର ପ୍ରଳୟଙ୍କାରୀ ରୂପ ଦେଖାଇଥିବା ବେଳେ ବୌଦ୍ଧ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହାର ଆଂଶିକ ପ୍ରଭାବ ପଡିଛି । ବିଶେଷତଃ ହରଭଙ୍ଗା ବ୍ଲକର କେତେକ ଗ୍ରାମରେ 'ଫନି'ର ପ୍ରଭାବରେ ଚାରି ପାଞ୍ଚଟି ସ୍ଥାନରେ ମାଟି ଘର ଭାଙ୍ଗି ଯିବା ସହ ଚାଳଛପର ଉଡିଯାଇଥିଲା । କିନ୍ତୁ ଜଣେ ଅସହାୟ ତଥା ନିଃସଙ୍ଗ ବିଧବା ମହିଳାଙ୍କ ଦୁଃଖ ଦ୍ବିଗୁଣିତ କରିଦେଇଛି 'ଫନି' ।
ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମରେ ଦେଖିବାକୁ ମିଳିଥିଲା ଏକ ଦୁଃଖଦ ଦୃଶ୍ୟ । ଶନିବାର ଇଟିଭି ଭାରତ ଟିମ ସେଠାରେ ପହଞ୍ଚିଲା ବେଳକୁ ଗ୍ରାମର ଜଣେ ଅସହାୟ ବିଧବା ମହିଳା ଏକ ଭୁଷୁଡି ପଡିଥିବା ମାଟି ଘରୁ ଛଣ ଓ କାଠ ସଂଗ୍ରହରେ ଲାଗିଥିଲେ । ମହିଳାଙ୍କ କୌଣସି ସନ୍ତାନ ସନ୍ତତି କିମ୍ବା ସଂପର୍କୀୟ ନାହାଁନ୍ତି ଯାହା ଫଳରେ ସେ ଏକା ଏକା ଜୀବନ ବିତାଉଛନ୍ତି ।