ବୌଦ୍ଧ: ସାଇକେଲ ଯୋଗେ ସାରା ଭାରତ ଭ୍ରମଣ କରି ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବଙ୍ଗୀୟ ଯୁବକ । ବର୍ତ୍ତମାନ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରୁଥିବାବେଳେ ଦୁଇ ଦିନ ଧରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିବେଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି । ସାଇକେଲ ଚଲାନ୍ତୁ, ଫିଟ୍ ରୁହନ୍ତୁ । ଏଥି ସହିତ ଇନ୍ଧନ ବଞ୍ଚାଇ ନିଜ ସାଇକେଲ ଯୋଗେ ସାରା ଭାରତ ଭ୍ରମଣ କରି ଉଦାହରଣ ସୃଷ୍ଟି କରିଛନ୍ତି ।
ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ କଳକାରଖାନା ଓ ଗାଡିମୋଟର ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି । ମୁଣ୍ଡରେ ହେଲମେଟ୍ ଓ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଙ୍ଗରେ ନେଇ ଦୀର୍ଘ 5ବର୍ଷ ହେଲା ପଶ୍ଚିମବଙ୍ଗର ରାମ ପ୍ରସାଦ ନସ୍କର ସାଇକେଲ ସାହାଯ୍ୟରେ ରାଜ୍ୟକୁ ରାଜ୍ୟ ଘୁରି ବୁଲୁଛନ୍ତି । ପରିବେଶ ପ୍ରଦୂଷଣକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିବା ହେଉଛି ରାମପ୍ରସାଦ ନସ୍କରଙ୍କର ଉଦ୍ଦେଶ୍ୟ । ପୂର୍ବରୁ ମଧ୍ୟ ରାମପ୍ରସାଦ ପଡ଼ୋଶୀ ନେପାଳରେ ପରିବେଶ ସୁରକ୍ଷା , ଜୀବନ ବଞ୍ଚାଅ ବାର୍ତ୍ତା ଓ ବଙ୍ଗ ଦେଶକୁ ସାଇକେଲ ଯୋଗେ ଯାତ୍ରା କରି ସୁନ୍ଦରବନ ସୁରକ୍ଷା ବାର୍ତ୍ତା ନେଇ ପହଞ୍ଚିଥିଲେ ।
ଏହା ବ୍ୟତୀତ, ଗଙ୍ଗା ନଦୀ ବଞ୍ଚାଅ ଆନ୍ଦୋଳନରେ ମଧ୍ୟ ସେ ସାମିଲ୍ ହୋଇଥିଲେ । ଗତ 6 ମାସ ହେଲା ରାମପ୍ରସାଦ ଭାରତର ବିଭିନ୍ନ ରାଜ୍ୟ ଅତିକ୍ରମ ପରେ ବର୍ତ୍ତମାନ ସେ ଓଡ଼ିଶା ପରିଭ୍ରମଣ କରି ପରିବେଶ ପ୍ରଦୂଷଣ ସମ୍ପର୍କରେ ରାଜ୍ୟବାସୀଙ୍କୁ ସଚେତନ କରୁଛନ୍ତି । ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ରାମପ୍ରସାଦଙ୍କୁ ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଥିଲା । ସେ ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ରାଜବାଟୀ ନିକଟରେ ଥିବା ବୁଢାରଜା ଭାବେ ପରିଚିତ ଭଗବାନ ବୁଦ୍ଧଙ୍କ ଦର୍ଶନ କରିଥିଲେ ।