ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ହତ୍ୟା, ଡକାୟତି ଭଳି ଘଟଣା ଘଟୁଛି । ଏହାରି ଭିତରେ ସାଇବର ଅପରାଧର ଶିକାର ହେଉଛନ୍ତି ଲୋକେ । ଜିଲ୍ଲାର ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳରେ ଥିବା କେତୋଟି ନିର୍ଦ୍ଦିଷ୍ଟ ଜନସେବା କେନ୍ଦ୍ର, କିଓଷ୍କ ବ୍ୟାଙ୍କିଂ ସେଣ୍ଟରରେ ଗରିବ ନୀରିହ ଲୋକଙ୍କ ଅର୍ଥ ହଡପ ହେଉଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସାଇବର କ୍ରାଇମ ବଢୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ସହାୟତା କେନ୍ଦ୍ରରେ ଲୋକଙ୍କ ଟଙ୍କା ହଡପ କରାଯାଉଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ଚାଷୀଙ୍କ ଆକାଉଣ୍ଟ ଓ ସାମାଜିକ ସୁରକ୍ଷା ଅନ୍ତର୍ଗତ ଥିବା ଆକାଉଣ୍ଟକୁ ଟାର୍ଗେଟ କରାଯାଉଥିବା ଜଣାପଡ଼ିଛି । ସେପଟେ ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ହ୍ବାଟସ ଅଫକୁ ବ୍ୟବହାର କରି କୌଣସି ଦୁର୍ବୃତ୍ତ ଅର୍ଥ ମାଗୁଥିବା ନେଇ ସୂଚନା ମିଳିଛି । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ବୌଦ୍ଧ ଜିଲ୍ଲାରେ ଏକ ସାଇବର ଥାନା ପ୍ରତିଷ୍ଠା ପାଇଁ ଦାବି ହୋଇଛି ।