ବୌଦ୍ଧ ଜେଲରେ ମାନସିକ ଚାପରୁ ଆତ୍ମହତ୍ୟା ବୌଦ୍ଧ: ଜିଲ୍ଲା ପାଇଁ ଛନକା ସୃଷ୍ଟି କରିଛି ଉପକାରାଗାରରେ କଏଦୀଙ୍କ ମୃତ୍ୟୁ । ବାରମ୍ବାର ଜିଲ୍ଲା ଉପ କାରାଗାରରେ କଏଦୀଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବିଶେଷଜ୍ଞମାନେ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟପଟେ ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ମୁକାବିଲା ପାଇଁ ଗତକାଲି ମକଡ୍ରିଲ କରାଯାଇଛି ।
ଜିଲ୍ଲାର ଏକମାତ୍ର ଉପକାରାଗାରରେ ବୃଦ୍ଧି ପାଉଛି ଆତ୍ମହତ୍ୟା ଜନିତ ମାମଲା । ବିଭିନ୍ନ ସମୟରେ ଜେଲ ମଧ୍ୟରେ ଅପରାଧିକ କାର୍ଯ୍ୟ କଳାପ ସହିତ ଆତ୍ମହତ୍ୟା ଭଳି ଘଟଣାକୁ ନେଇ ବିଶେଷଜ୍ଞ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଜେଲ ମାନୁଆଲ ଅନୁଯାୟୀ ଜେଲ ଅନ୍ତେବାସୀଙ୍କୁ କାଉନସେଲିଂର ଆବଶ୍ୟକତା ରହିଥିବା ସେମାନେ କହିଛନ୍ତି ।
ବୌଦ୍ଧ ଜିଲ୍ଲାର ଏକମାତ୍ର ଜେଲଖାନା ପୂର୍ବରୁ ରଘୁନାଥ ମନ୍ଦିର ନିକଟରେ ରହିଥିଲା । ତେବେ ଜେଲ ଅନ୍ତେବାସୀଙ୍କ ସ୍ଥାନାଭାବ ଯୋଗୁଁ ଗତ 2019 ମସିହାରେ ଏହି ଜେଲକୁ ଲାଣ୍ଡିବନ୍ଧ ନିକଟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେହି ସମୟରେ ଏହାର ଦୂରତା ଓ ସୁରକ୍ଷା କୁନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାଛଡା ପୂର୍ବରୁ ବୌଦ୍ଧ ସହର ମଧ୍ୟରେ କାରାଗାରଟି ଥିବାରୁ ଅନ୍ତେବାସୀ ବିଶେଷ ଏକାନ୍ତ କିମ୍ବା ଅସାମାଜିକ ବୋଧ କରୁନଥିଲେ । କିନ୍ତୁ ବୌଦ୍ଧ ସହର ଠାରୁ ପ୍ରାୟ ବାର କିଲୋମିଟର ଦୂରରେ ନିକାଞ୍ଚନ ସ୍ଥାନରେ ବର୍ତ୍ତମାନର ଜେଲଖାନା ପ୍ରତିଷ୍ଠା ପରେ ସେଠାକାର ବାତାବରଣ ସମ୍ପୂର୍ଣ୍ଣ ଓଲଟା ରହିଛି ।
ଫଳରେ ଜେଲ ଭିତରେ ଅନେକ ସମୟରେ ଗଣ୍ଡଗୋଳ, ମାରପିଟ ଭଳି ଘଟଣା ସହିତ ଏକାଧିକ ଆତ୍ମହତ୍ୟା ଭଳି ଘଟଣା ଉଦବେଗ ସୃଷ୍ଟି କରିଛି । ବର୍ତ୍ତମାନ ନୂତନ ଜେଲରେ ପର୍ଯ୍ୟାପ୍ତ ସ୍ଥାନ ରହିଥିବାରୁ ବୌଦ୍ଧ ଜିଲ୍ଲାର ବନ୍ଦୀଙ୍କ ସହିତ ପଡୋଶୀ କନ୍ଧମାଳ ଜିଲ୍ଲାର ବନ୍ଦୀ ମଧ୍ୟ ଏଠାରେ ରହୁଥିବା ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଅନ୍ତେବାସୀଙ୍କ ମଧ୍ୟରେ ଆତ୍ମହତ୍ୟା ମାନସିକତାକୁ ନେଇ ବରିଷ୍ଠ ବିଶେଷଜ୍ଞ ଉଦବେଗ ପ୍ରକାଶ କରିଛନ୍ତି ।
ସେପଟେ ପୁରୁଣା ଜେଲଖାନା 2019 ପରଠାରୁ କୋଭିଡ ସେଣ୍ଟର ଭାବରେ ବ୍ୟବହାର ହେଉଛି । ବର୍ତ୍ତମାନ କୋରୋନା ମହାମାରୀର ନୂତନ ଭାରିଆଣ୍ଟ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପୁଣି ସଜାଗ ହୋଇଛି । ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ଦଶ ଜଣ କୋଭିଡ ଆକ୍ରାନ୍ତ ରହିଥିବା ବେଳେ କୌଣସି ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି ସ୍ବାସ୍ଥ୍ୟ ବିଭାଗ । ବୁଧବାର ଏନେଇ ବିଭାଗ ପକ୍ଷରୁ ମକଡ୍ରିଲ ସହିତ ଅକ୍ସିଜେନ ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥାକୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷା କରାଯାଇଥିଲା ।
ଇଟିଭି ଭାରତ, ବୌଦ୍ଧ