ବୌଦ୍ଧ: ମହାନଦୀରେ ଘୂରି ବୁଲୁଛି କୁମ୍ଭୀର । ବନ୍ୟା ପରେ ବୌଦ୍ଧ ଜିଲ୍ଲାର ନଦୀକୂଳିଆ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ଗୋଟିଏ ପଟେ ମହାନଦୀ ଦୁଇ କୂଳକୁ ଲାଗି ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଅନ୍ୟ ପଟରେ ନଦୀରେ ଏକାଧିକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି । ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ବୌଦ୍ଧ ଜିଲ୍ଲାର ନଦୀ କୂଳିଆ ଅଞ୍ଚଳରେ କୁମ୍ଭୀର ବୁଲୁଥିବା ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଜିଲ୍ଲାର ଧଳପୁର ଠାରୁ ନେଇ ବାଉଶୁଣୀର ମହାନଦୀ କୂଳରେ ବିଭିନ୍ନ ସମୟରେ ଦେଖାଯାଉଛନ୍ତି ଘଡ଼ିଆଳ କୁମ୍ଭୀର । ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ଏଭଳି କୁମ୍ଭୀର ଦେଖିବାକୁ ମିଳିଥାଏ । କାରଣ ମହାନଦୀର ତଳ ମୁଣ୍ଡରେ ଥିବା ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ବନ୍ୟାଜଳ ପ୍ରବେଶ ପରେ ଅନେକ କୁମ୍ଭୀର ମହାନଦୀର ଜଳସ୍ରୋତରେ ଉପର ମୁଣ୍ଡକୁ ଚାଲି ଆସିଥାନ୍ତି ।
ଗତ ତିନି ଦିନ ଧରି ଜିଲ୍ଲାର ମର୍ଜାକୁଦ, କୃଷ୍ଣ ମୋହନପୁର, କରଡ଼ି, ବଙ୍କାପଡା, ଝରାସାହି ଭଳି କେତେକ ସ୍ଥାନରେ ଥିବା ଘାଟ ନିକଟରେ ଏକାଧିକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଥିବା ସୂଚନା ମିଳିଛି ।