ବୌଦ୍ଧ:ଜିଲ୍ଲାରେ ବଢୁଛି ଅପରାଧିକ କାର୍ଯ୍ୟକଳାପ । ଦିନ ଦିପ୍ରହରରେ ଲୁଟପାତ, ହତ୍ୟାକାଣ୍ଡ ଘଟାଇବାକୁ ପଛାଉ ନାହାନ୍ତି ଅପରାଧି । ଫଳରେ ଘରୁ ବାହାରିବାକୁ ଲୋକେ ଏବେ ଭୟ କରୁଛନ୍ତି । ଜିଲ୍ଲାରେ ଶୃଙ୍ଖଳା ବ୍ୟବସ୍ଥା ଏକଦମ ବିପର୍ଯ୍ୟୟ ହୋଇ ପଡିଥିବା ଅଭିଯୋଗ ହୋଇଛି । ଅପରାଧିଙ୍କୁ କାବୁ କରିବାରେ ଜିଲ୍ଲା ପୋଲିସର ହାତ ଖାଲି । ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ ଜନ ଅଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ବୌଦ୍ଧ ଜିଲ୍ଲାର କଣ୍ଟମାଳ,ମନମୁଣ୍ଡା ଓ ବାଉଁଶୁଣୀ ଥାନା ଅଞ୍ଚଳରେ ବିଗତ କିଛି ଦିନ ହେବ ଚୋରି, ଡକାୟତି ଭଳି ଘଟଣା ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି । ଜିଲ୍ଲା ପୋଲିସ କେତେକ ଡକାୟତି ଓ ହତ୍ୟା ମାମଲାରେ ସଫଳତା ହାସଲ କରିଥିବା ବେଳେ କଣ୍ଟାମାଳ,ବାଉଁଶୁଣୀ ଓ ମନମୁଣ୍ଡା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଇ ଚାଲିଛନ୍ତି । ତଦନ୍ତ ଦିଗରେ ପୋଲିସର ହାତ ଖାଲି ଥିବା ଅଭିଯୋଗ କରି ପୋଲିସର ପଦକ୍ଷେପ ନେଇ ଅସନ୍ତୋଷ ପ୍ରକାଶ କରିଛି ଜନ ଅଧିକାର ସୁରକ୍ଷା ମଞ୍ଚ ।