ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରୀ ଓ ହତ୍ୟା ଭଳି ମାମଲା । ପୋଲିସର କଡା ଚେତାବନୀ ସତ୍ତ୍ବେ ରୋକ ଲାଗିପାରିନି ଅପରାଧ ନିୟନ୍ତ୍ରଣରେ । ଗତ ତିନି ଦିନ ପୂର୍ବରୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କୁ ଆକ୍ରମଣ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା । ସୋମବାର ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସିଡିଭିଓଙ୍କ ନେତୃତ୍ୱରେ କଳାବ୍ୟାଚ ପରିଧାନ କରି ଏକ ଘଣ୍ଟା ଧରି ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
ସେପଟେ ଜିଲ୍ଲାର ଉପାନ୍ତ କୁଶଙ୍ଗ,ମହାଲିକପଡା, ତଳଗାଁ ଭଳି ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଲୁଟ କରିଥିଲା ସାଇବର ଠକ । ହେଲେ ପୋଲିସର ହାତ ଖାଲି ପଡିଛି । ସେହିପରି ଶନିବାର ରାତିରେ ଜଣେ ଦୁର୍ବୃତ୍ତଙ୍କ ଆତଙ୍କରେ ମୁଣ୍ଡାପଡା ପଞ୍ଚାୟତ କମିରା ଗାଁରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଦୁର୍ବୃତ୍ତ ଜଣକ ଜଣକ ବାଇକରେ ନିଆଁ ଲଗାଇ ଦେଇଥିଲେ । ଫଳରେ ବାଇକ ଫୁଟି ଯାଇଥିଲା । ଅଳ୍ପକେ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି ଗୋଟିଏ ପରିବାର । ଏନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରିପାରି ନାହିଁ ।