ବୌଦ୍ଧ:ପୋତି ହୋଇ ପଡୁଛି ଜିଲ୍ଲାର ବିଭିନ୍ନ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏସବୁ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ରାଜ୍ୟ ସରକାର ପ୍ରକଳ୍ପ ଦେଉଥିବା ଅର୍ଥକୁ ହରିଲୁଟ କରୁଥିବା ଅଭିଯୋଗ । ବିଶେଷ ଭାବରେ ଜିଲ୍ଲାର ତିନୋଟି ବ୍ଲକର ତିନୋଟି ପ୍ରକଳ୍ପ ଉଦାହରଣ ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି । ଏହାଛଡା ଏସବୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଦାବି ହୋଇଛି । ବୌଦ୍ଧ ଜିଲ୍ଲାରେ ମହାନଦୀ ଠାରୁ ଆରମ୍ଭ କରି, ତେଲନଦୀ, ବାଘନଦୀ, ସାଲୁଙ୍କୀ ଭଳି ଅନେକ ନଦୀନାଳ ପ୍ରବାହିତ ହେଉଛି । ଏହାଛଡା ବିଭିନ୍ନ ଜଳ ଉତ୍ସରୁ ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କୁ ସୁବିଧା ଯୋଗାଇ ଦିଆଯାଉଛି ।
କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗର କେତେକ ପ୍ରକଳ୍ପ ବିଭାଗ ଓ ଠିକାଦାରଙ୍କ ପାଇଁ ସୁନା ଅଣ୍ଡା ଦିଆ କୁକୁଡ଼ା ପାଲଟିଛି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳରେ ଥିବା ଏସବୁ ପ୍ରକଳ୍ପରେ ବାରମ୍ବାର ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀଙ୍କ କାର୍ଯ୍ୟରେ ଆସୁନାହିଁ । ଏ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ପଞ୍ଚାୟତ ଉମା । ଉମା ପଞ୍ଚାୟତ ସଦର ଠାରେ ଥିବା ପଞ୍ଚାୟତ ପୋଖରୀକୁ କିଛି ବର୍ଷ ପୂର୍ବରୁ କ୍ଷୁଦ୍ର ଜଳସେଚନ ବିଭାଗ ହାତକୁ ନେଇ ଏହାର ଉନ୍ନତି ପାଇଁ ତଥା ଚାଷୀଙ୍କୁ ଜଳଯୋଗାଣ ପାଇଁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଉକ୍ତ ବିରାଟକାୟ ବନ୍ଧରେ ବାରମ୍ବାର ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ପୋତି ହୋଇ ପଡୁଥିବା ଅଭିଯୋଗ ହୋଇଛି ।