ବୌଦ୍ଧ: ମନରେଗା ଯୋଜନାରେ ମହାଦୁର୍ନୀତି। ବୌଦ୍ଧ ଜିଲ୍ଲାରେ ହରଭଙ୍ଗା ବ୍ଲକର କିଛି ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ପରେ ଏବେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପରିଷଦର ଏକ ବୈଷୟିକ ପ୍ରତିନିଧି ଦଳ । ଲୁଣିବାହାଲ ପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ପୋଖରୀ ଖନନ, ପଥପ୍ରାନ୍ତ ବନୀକରଣ ଓ ରାସନ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ ହୋଇଛି ।
ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଲୁଣିବାହାଲ ପଞ୍ଚାୟତରେ ଚଳିତ ବର୍ଷ ଓ ପୂର୍ବ ବର୍ଷର 45ଟି ମନରେଗା କାର୍ଯ୍ୟର ତଦନ୍ତ ଏହି ପ୍ରତିନିଧି ଟିମ୍ କରିଥିବା ସୂଚନା ମିଳିଛି । ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗକୁ ସ୍ଥାନୀୟ ସରପଞ୍ଚ ଖଣ୍ଡନ କରିବା ସହିତ ସମସ୍ତ କାର୍ଯ୍ୟ ନିୟମ ମୁତାବକ କରାଯାଇଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୁଣିବାହାଲ ପଞ୍ଚାୟତରେ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ ତଥା ଅସହିଷ୍ଣୁ ହୋଇ ଏଭଳି ଅଭିଯୋଗ କରିଥିବା ପାଲଟା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ । ତେବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏହି ମନରେଗା ଯୋଜନାରେ ମହାଘୋଟାଲା ହେଉଥିବା ବେଳେ ନିର୍ଦ୍ଦିଷ୍ଟ ଭାବରେ ଲୁଣିବାହାଲ ପଞ୍ଚାୟତକୁ କାହିଁକି ଟାର୍ଗେଟ କରାଗଲା ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି ।