ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି । କେତେକ ସ୍ଥାନରେ ଗରିବ ହିତାଧିକାରୀଙ୍କୁ ଭୁଆଁ ବୁଲାଇ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି । ଅନ୍ୟ କେଉଁଠି ମୃତ ବ୍ୟକ୍ତିଙ୍କ ଆବାସ ଯୋଜନାର ଅର୍ଥ ହଡପ କରାଯାଉଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତର ତୁତୁମସିଂ ଗ୍ରାମର ଅସହାୟ ବୃଦ୍ଧା ଲୀଳାବତୀ ସରକାରୀ କାଗଜପତ୍ରରେ ଦୁଇ ଦୁଇ ଥର ଆବାସ ଗୃହ ପାଇଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ବର୍ତ୍ତମାନ ଲୀଳାବତୀ ଏକ ଜରିପାଲ ଟଣା ଭଙ୍ଗା ଦଦରା ଘରେ ନିଜ ଶେଷ ଜୀବନ କାଟୁଛନ୍ତି । ବାରମ୍ବାର ସେ ଏନେଇ ପଞ୍ଚାୟତରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସେହିପରି ବଘିଆପଡା ପଞ୍ଚାୟତ ମାଝିସାହି ଗ୍ରାମର ବିକ୍ରମ ମହାଲିକଙ୍କୁ ଚଞ୍ଚକତା କରାଯାଇ ଏହି ଆବାସ ଯୋଜନାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ମୁଣ୍ଡାପଡା ପଞ୍ଚାୟତର ବଡମାଳ ଗ୍ରାମରେ ଆବାସ ଯୋଜନା ଦୁର୍ନୀତି ଅନ୍ୟ ଦୁର୍ନୀତିକୁ ବଳି ଯାଇଛି । ମୃତ କାର୍ତ୍ତିକ ନାଏକଙ୍କ ନା ରେ ଥିବା ଆବାସ ଗୃହର ଟଙ୍କାକୁ ସରକାରୀ ବାବୁ ଚଳୁ କରିଦେଇଛନ୍ତି । ବାବୁଙ୍କ ପତ୍ନୀ ଜଣକ ଖୋଦ ଶାସକ ଦଳର ଜଣେ ନିର୍ବାଚିତ ପ୍ରତିନିଧି ରହିଛନ୍ତି । ସେହିଭଳି ହରଭଙ୍ଗା ବିଡିଓ ଜିଆରଏସଙ୍କ ଏ ଭଳି କାର୍ଯ୍ୟକୁ ନେଇ କାର୍ଯ୍ୟରୁ ହଟାଇ ଡିଆରଡିଏ କାର୍ଯ୍ୟାଳୟକୁ ପଠାଇଛନ୍ତି ।