ବୌଦ୍ଧ:ବାଟବଣା ହେଉଛି ସରକାରୀ ଅର୍ଥ । ଉପାନ୍ତ ଅଞ୍ଚଳରେ ଆନିକଟରେ ନିମ୍ନମାନର କାମକରି ବ୍ୟାପକ ଅର୍ଥ ହରିଲୁଟ କରିଥିବା ହୋଇଛି ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ବିରିଗଡରେ । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ବିରିଗଡଠାରେ ପାହାଡି ଝରଣା ଲକ୍ଷ୍ମୀ ନାଳ ଉପରେ ଥିବା ପୁରୁଣା ଆନିକଟ ଦୁର୍ବଳ ହୋଇପଡିବାରୁ ଗତ 2013-14ରେ ଏକ ନୂଆ ଆନିକଟ ନିର୍ମାଣ କରାଯାଇଥିଲା ।
ବାଟବଣା ସରକାରୀ ଅର୍ଥ, ନିମ୍ନମାନର କାମକରି ବ୍ୟାପକ ଅର୍ଥ ହରିଲୁଟ୍ ଅଭିଯୋଗ - ବୌଦ୍ଧରେ ବାଟବଣା ସରକାରୀ ଅର୍ଥ
ବାଟବଣା ହେଉଛି ସରକାରୀ ଅର୍ଥ । ଉପାନ୍ତ ଅଞ୍ଚଳରେ ଆନିକଟରେ ନିମ୍ନମାନର କାମକରି ବ୍ୟାପକ ଅର୍ଥ ହରିଲୁଟ୍ ଅଭିଯୋଗ । ଅଧିକ ପଢନ୍ତୁ
ଟିକରପଡା ପଞ୍ଚାୟତର ପ୍ରାୟ 25ଟି ଗ୍ରାମର ଚାଷୀ ଜଳସେଚନରେ ସୁବିଧା ପାଇଁ ବିଶ୍ବ ବ୍ୟାଙ୍କ ସହାୟତାରେ ପ୍ରାୟ 24 କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ସେଠାରେ ନୂତନ ଆନିକଟ ନିର୍ମାଣ କରିଥିଲା । କିନ୍ତୁ ଏହି ପ୍ରକଳ୍ପ ନିର୍ମାଣରେ କୋଟିଏ ଟଙ୍କାରୁ ମଧ୍ୟ କମ ଖର୍ଚ୍ଚ କରାଯାଇ ଏହି ସେଚନ ପ୍ରକଳ୍ପର ପ୍ରାୟ 24 କୋଟି ଟଙ୍କା ଠିକାଦାର ଓ ବିଭାଗୀୟ ଅଧିକାରୀ ମିଶି ହରିଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଏଭଳି ପ୍ରକଳ୍ପ ହୋଇଥିବାବେଳେ ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳିନାହିଁ ।
ବର୍ତ୍ତମାନ ଉକ୍ତ ପ୍ରକଳ୍ପର ଭୁଲ ଡିଜାଇନ ଯୋଗୁଁ ସେଠାରେ ବିଶେଷ ପାଣି ଗଚ୍ଛିତ ରହିପାରୁ ନାହିଁ କିମ୍ବା ତଳ ମୁଣ୍ଡରେ ଥିବା ଦୁଇ ତିନି ଖଣ୍ଡ ଗ୍ରାମକୁ ଛାଡିଦେଲେ ଅନ୍ୟ ଗ୍ରାମକୁ ଆଦୌ ଜଳସେଚନ ହୋଇପାରୁ ନାହିଁ । ଏଭଳି ଚଞ୍ଚକତା ପୂର୍ଣ୍ଣ ଦୁର୍ନୀତି ସମ୍ପର୍କରେ ସମସ୍ତେ ଜାଣି ମଧ୍ୟ କାହିଁକି ଚୁପ୍ ବସିଛନ୍ତି ସେନେଇ ଅଞ୍ଚଳବାସୀ ପ୍ରଶ୍ନ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ