ବୌଦ୍ଧ: ଜିଲ୍ଲା ଉପାନ୍ତ ଅଞ୍ଚଳର ପାଞ୍ଚରୁ(remote area) ଊର୍ଦ୍ଧ୍ବ ପଞ୍ଚାୟତରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଏସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଜଳସେଚନ କ୍ଷେତ୍ରରେ ବହୁ ପଛରେ ପଡିଥିବାବେଳେ ଏସବୁ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ତେବେ ବଣପାହାଡ ଘେରା ପଞ୍ଚାୟତର ଅନେକ ଗ୍ରାମକୁ ଯୋଗାଯୋଗର ବିଛିନ୍ନତା ହେତୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ 9 ନମ୍ବର ଜୋନର ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତର ଅନେକ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇପାରିନାହିଁ । ବଣପାହାଡ ଘେରା ତଳଗାଁ, ମହାଲିକପଡା, କୁଶଙ୍ଗ, ଛତରଙ୍ଗ, ଆଢେଣୀଗଡ ଭଳି ପଞ୍ଚାୟତରେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ଗାଁକୁ ରାସ୍ତା, ପାନୀୟଜଳ ଜଳସେଚନ, ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ । ଏସବୁ ପଞ୍ଚାୟତରେ ଆବାସ ଦୁର୍ନୀତି, ଫାର୍ମ ପଣ୍ଡ, NREGS ଦୁର୍ନୀତିର ଲମ୍ବା ତାଲିକା ରହିଥିବାବେଳେ ରାଜତନ୍ତ୍ର ଶାସନ କାଳର ଶ୍ରମିକ ଶୋଷଣ ପରମ୍ପରା ଲାଗି ରହିଛି ।