ବୌଦ୍ଧ: ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ନିଜ ସ୍ଥିତିକୁ ସୁଦୃଢ଼ କରିବା ଲାଗି ବରିଷ୍ଠ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ଜୋରଦାର ଉଦ୍ୟମ କରିଛି । ଦଳରେ ହେଭିୱେଟ୍ ନେତା ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ନ' ରୁ ନବେ ମିଶନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଜନ ଜାଗରଣ ଅଭିଯାନ କରୁଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି ।
ଦୀର୍ଘ ଦିନ ପରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିଶାଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ରାଜ୍ୟ କଂଗ୍ରେସର ଆହ୍ବାନ କ୍ରମେ ଜିଲ୍ଲା ଠାରେ ଏହି ଜନ ଜାଗରଣ ଅଭିଯାନର ଆରମ୍ଭ ହୋଇଛି । ଏଥିରେ ରାଜ୍ୟ କଂଗ୍ରେସ ପର୍ଯ୍ୟବେକ୍ଷକ ଏ. ଚେଲ୍ଲା କୁମାର, ରାଜ୍ୟ କଂଗ୍ରେସ ସଭାପତି ଶରତ କୁମାର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜାଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଓ ନେତ୍ରୀଙ୍କୁ ଚାରିଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆଣି ସ୍ବାଗତ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜନ ଜାଗରଣ ଅଭିଯାନ ସଭାରେ କଂଗ୍ରେସ ନେତା ଉଭୟ ବିଜେପି ଓ ବିଜେଡି ଦଳ ଉପରେ ପ୍ରବଳ ବର୍ଷିଥିଲେ ।