ଓଡିଶା

odisha

ETV Bharat / state

ମର୍ଜାକୁଦ: ବାହା ହେବାକୁ ଅମଙ୍ଗ ଲୋକେ, ଭରସା ହୁଲିଡଙ୍ଗା - ହୁଲି ଡଙ୍ଗାରେ ନଦୀପାର ହେଉଛନ୍ତି ମର୍ଜାକୁଦବାସୀ

ବର୍ଷ ବର୍ଷ ଧରି ଛୋଟ ହୁଲି ଡଙ୍ଗାରେ ନଦୀ ପାର ହେଉଛନ୍ତି ବୌଦ୍ଧର ମର୍ଜାକୁଦବାସୀ । ଏତେ ଅସୁବିଧା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ ଯାତାୟାତ ପାଇଁ ଖଣ୍ଡେ ବୋଟ୍‌ ମିଳିନାହିଁ । ଏ ଘଟଣାକୁ ଖୋଦ ପୌର ଅଧିକାରୀ ସ୍ବୀକାର କରିଥିବା ବେଳେ ଏନଏସି ପକ୍ଷରୁ କୌଣସି ବୋଟର ବ୍ୟବସ୍ଥା କରାଯାଇ ନାହିଁ ବୋଲି ସେ ସଫା ସଫା କହି ଦେଇଛନ୍ତି।

ଡିଜାଇନ ଫଟୋ

By

Published : Sep 14, 2019, 1:39 PM IST

ବୌଦ୍ଧ: ମହାନଦୀର ଉଚ୍ଛୁଳା ପାଣିରେ ବାଜି ଲାଗୁଛି ଜୀବନ। ଛୋଟ ହୁଲି ଡଙ୍ଗାରେ ନଦୀ ପାର ହେଉଛନ୍ତି ବୌଦ୍ଧର ମର୍ଜାକୁଦବାସୀ । ଏହି ଦୁଃଖ କେବଳ ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘବର୍ଷ ହେଲା ଏପରି ଭାବେ ନଦୀ ପାର ହେଉଛନ୍ତି ଏହି ଦ୍ବୀପାଞ୍ଚଳର ଲୋକେ। ଏତେ ଅସୁବିଧା ସତ୍ତ୍ବେ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ପାଇଁ କୌଣସି ବୋଟ୍‌ର ବ୍ୟବସ୍ଥା କରାଯାଇନାହିଁ। ସେପଟେ ଏହି ଘଟଣାକୁ ଖୋଦ ପୌର ଅଧିକାରୀ ସ୍ବୀକାର କରିଥିବା ବେଳେ ଏନଏସି ପକ୍ଷରୁ ସେପରି କୌଣସି ବ୍ୟବସ୍ଥା ନାହିଁ ବୋଲି ସେ ସଫା ସଫା କହିଛନ୍ତି।

ବୌଦ୍ଧ ଏନଏସିର 13 ଏବଂ 14 ନମ୍ବର ଓ୍ବାର୍ଡକୁ ନେଇ ଗଠିତ ମର୍ଜାକୁଦ ଦ୍ବୀପାଞ୍ଚଳ। ଯାହା ମହାନଦୀ ଗର୍ଭରେ ଅବସ୍ଥିତ। ଏଠାକାର ବାସିନ୍ଦା ବର୍ଷର ଅନ୍ୟ ସମୟରେ ଯେପରି ସେପରି ଚଳିଯାନ୍ତି, ମାତ୍ର ବର୍ଷା ଦିନ ଆସିଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡେ ମର୍ଜାକୁଦ। ଦୈନନ୍ଦିନ କାର୍ଯ୍ୟ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପାଠପଢା, ଚିକିତ୍ସା ଆଦି ସମସ୍ତ କ୍ଷେତ୍ରରେ ମର୍ଜାକୁଦ ଲୋକ ବୌଦ୍ଧ ସହର ଉପରେ ନିର୍ଭରଶୀଳ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଖଣ୍ଡେ ବୋଟ୍‌ ନଥିବାରୁ ପ୍ରତ୍ୟେକ ଦିନ ସ୍ଥାନୀୟ ଲୋକେ ଛୋଟ ହୁଲି ଡଙ୍ଗାରେ ନିଜ ଜୀବନକୁ ବାଜି ଲଗାଇ ମହାନଦୀ ପାର ହୁଅନ୍ତି। କେବଳ ଏତିକି ନୁହେଁ ଶିଶୁ ଖାଦ୍ୟକୁ ମଧ୍ୟ ଚଢା ଦରରେ ମର୍ଜାକୁଦକୁ ଡଙ୍ଗାରେ ପଠାଯାଏ । ପରିସ୍ଥିତି ଏପରି ଯେ ଅନେକ ଲୋକ ଏହି ଗାଁ ଛାଡିବା ସହ ଏଠାରେ କେହି ବୈବାହିକ ସମ୍ପର୍କ ଯୋଡିବାକୁ ବି ଆଗ୍ରହ ଦେଖାଉ ନାହାଁନ୍ତି।

ଆଠ ବର୍ଷ ପୂର୍ବେ ଏଠାରେ ବୌଦ୍ଧ ଏନଏସି ପକ୍ଷରୁ ଲୋକଙ୍କ ଯାତାୟତ ପାଇଁ ଏକ ମୋଟର ବୋଟ ଚାଲୁଥିଲା। ତା ପୂର୍ବରୁ ଏନଏସି ଦ୍ୱାରା ଘାଟ ନିଲାମ କରାଯାଇ ଉଭୟ ରାଜସ୍ବ ଆଦାୟ ସହ ଲୋକଙ୍କୁ ସୁରକ୍ଷିତ ଭାବେ ନଦୀ ପାର କରାଯାଉଥିଲା । ହେଲେ ଏବେ ଦୀର୍ଘ ବର୍ଷ ହେବ ଏଭଳି ବିପଦଜ୍ଜନକ ଅବସ୍ଥାରେ ପ୍ରତ୍ୟେକ ଦିନ ଯାତାୟତ ପାଇଁ ଜୀବନକୁ ବାଜି ଲଗାଇଥାନ୍ତି। ଖୋଦ ପୌର ଅଧିକାରୀ ଏଭଳି ସମସ୍ୟାକୁ ସ୍ବୀକାର କରିବା ସହ ଏନେଇ ନିଜର ଅସହାୟତା ପ୍ରକାଶ କରିଛନ୍ତି। ହେଲେ ଏହି ଦ୍ବୀପକୁ ଯୋଡିବା ପାଇଁ ନିର୍ମିତ ହେଉଥିବା ବ୍ରିଜର କାର୍ଯ୍ୟ ନିର୍ମାଣାଧୀନ ଅବସ୍ଥାରେ ରହିଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details