ବୌଦ୍ଧ:ହଜିଯାଉଥିବା ପାରମ୍ପରିକ ଖାଦ୍ୟକୁ ନେଇ କଲେଜ ସ୍ତରରେ ଆରମ୍ଭ ହୋଇଛି ଫୁଡ୍ ଫେଷ୍ଟିଭାଲ । ଭଳିକି ଭଳି ପିଠାପଣା ବର୍ତ୍ତମାନ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ । ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ବର୍ଗଙ୍କ ମଧ୍ୟରେ ପାରମ୍ପରିକ ଖାଦ୍ୟ ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲାର ସର୍ବ ପ୍ରଥମ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ଏଭଳି ଅଭିନବ କାର୍ଯ୍ୟକ୍ରମ ।
ପାରମ୍ପରିକ ପିଠାପଣାରେ ମହକି ଉଠିଛି କଲେଜ ପରିସର । ଭଳି କି ଭଳି ଖାଦ୍ୟ ସମ୍ଭାରରେ ସଜେଇ ହୋଇଛି ମହାବିଦ୍ୟାଳୟ ପ୍ରାଙ୍ଗଣ । ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ କ୍ରୀଡା, ସଂସ୍କୃତିର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲାର ସର୍ବ ପ୍ରଥମ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ଖାଦ୍ୟ ସମ୍ଭାରକୁ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ବିଭିନ୍ନ କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜିଲ୍ଲାରେ ପ୍ରଥମ ଥର ଏକ ବିଶାଳ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ବିଶେଷ ଭାବରେ ପାରମ୍ପରିକ ଖାଦ୍ୟ ଯାହାକି ଅଧିକାଂଶର ଆଉ ପ୍ରାୟତଃ ଉପଯୋଗ କରାଯାଉ ନାହିଁ ସେଭଳି ଅନେକ ଖାଦ୍ୟ ସହିତ ଗ୍ରାମାଞ୍ଚଳରେ ବ୍ୟବହାର ହେଉଥିବା ବିଭିନ୍ନ ପାରମ୍ପରିକ ଖାଦ୍ୟ ଏଭଳି ଫୁଡ୍ ଫେଷ୍ଟିଭାଲରେ ବେଶ ଆକର୍ଷଣୀୟ ହୋଇଥିଲା ।