ବୌଦ୍ଧ:ରାଜ୍ୟ ସରକାରଙ୍କ ଫ୍ଲାଗସିପ ଯୋଜନା ମୁକ୍ତା । ଏହା ମାଧ୍ୟମରେ ରାଜ୍ୟ ସରକାର ପୌରାଞ୍ଚଳର ଉନ୍ନତି ନିମନ୍ତେ ୨.୫୨କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ତେବେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏସବୁ ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ବାରା ମହିଳା ଗୋଷ୍ଠୀଙ୍କ ପରିବାରର ଆର୍ଥିକ ଅଭିବୃଦ୍ଧି ସହିତ ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି । ବର୍ତ୍ତମାନ ପୁଣିଥରେ ରାଜ୍ୟ ସରକାର ଅଢେଇ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବାରୁ ମହିଳା ଗୋଷ୍ଠୀ ଖୁସି ପ୍ରକାଶ କରିଛନ୍ତି ।
ତେବେ ମହାନଦୀ କୂଳରେ ୧୭ ଗୋଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ । ୬୦ ବର୍ଷରୁ ଊର୍ଦ୍ଧ୍ବ ହେଲା ଗଠିତ ହୋଇଥିବା ବୌଦ୍ଧ ଏନଏସି ପରିବର୍ତ୍ତିତ ସମୟରେ ଅନେକ ବିକାଶ କାର୍ଯ୍ୟ ସମୟାନୁକ୍ରମରେ ହୋଇ ଆସିଛି । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲାର ଏକମାତ୍ର ଏନଏସିର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି ।
ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାଗୀଦାରୀ ହୋଇଥିବା ବେଳେ ସହରାଞ୍ଚଳରେ ମହିଳା ଗୋଷ୍ଠୀକୁ ଅଧିକ ସଶକ୍ତ ତଥା ଆର୍ଥିକ ସ୍ବାବଲମ୍ବୀ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ସ୍ବଚ୍ଛ ସାଥୀ, ଜଳମିତ୍ର,ମିଲେଟ ଶକ୍ତି କାଫେ, ମିଶନ ଶକ୍ତି କାଫେ ଭଳି ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ମୁକ୍ତା ଯୋଜନା ମାଧ୍ୟମରେ ମହିଳା ଗୋଷ୍ଠୀର ଭାଗିଦାରୀରେ ଜାରି ରହିଛି । ମୁକ୍ତା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ମାଧ୍ୟମରେ ବୌଦ୍ଧ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ମିନି ପାର୍କ,ଜିମ,ଭୂତଳ ଜଳ ସଂରକ୍ଷଣ,ପାଥ ଭଳି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଜାରି ରହିଛି ।