ଓଡିଶା

odisha

ETV Bharat / state

ଉଦଯାପିତ ହେଲା ଗନ୍ଧରାଡି ଲୋକକଳା ମହୋତ୍ସବ, ମନମୋହିଲା ପାରମ୍ପରିକ ଲୋକନୃତ୍ୟ - ଗନ୍ଧରାଡି ଲୋକ ମହୋତ୍ସବ

ଗତ ପାଞ୍ଚଦିନ ଧରି ଚାଲିଥିବା ଗନ୍ଧରାଡି ଲୋକକଳା ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ପାରମ୍ପରିକ ଲୋକନୃତ୍ୟ । ଅଧିକ ପଢନ୍ତୁ

ଗନ୍ଧରାଡି ଲୋକକଳା ମହୋତ୍ସବ
ଗନ୍ଧରାଡି ଲୋକକଳା ମହୋତ୍ସବ

By

Published : Feb 27, 2023, 11:04 AM IST

ଗନ୍ଧରାଡି ଲୋକକଳା ମହୋତ୍ସବ

ବୌଦ୍ଧ: ଜିଲ୍ଲାରେ ଉଦଯାପିତ ହୋଇଯାଇଛି ଗନ୍ଧରାଡି ଲୋକ ମହୋତ୍ସବ । ପାରମ୍ପରିକ ତଥା ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇବା ସହିତ ବିଶ୍ୱ ପ୍ରସିଦ୍ଧ ହରିହର ପୀଠର ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ ପାଇଁ ଏହି ଲୋକ ମହୋତ୍ସବ ଆରମ୍ଭ କରାଯାଇଛି । ହଜାର ହଜାର ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାଚୀନ ଲୋକକଳାକୁ ଉପଭୋଗ କରିଥିଲେ । ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟର ତାଳେ ତାଳେ ମଣ୍ଡପ ଦୁଲୁକିଥିଲା । ପାଞ୍ଚ ଦିନ ଧରି ଚାଲିଥିବା ଏହି ଲୋକଳଳା ମହୋତ୍ସବରେ ଲୁପ୍ତ ପ୍ରାୟ ଲୋକକଳାକୁ ଉଦଜୀବିତ କରିବା ସହିତ ଅଷ୍ଟମ ଶତାବ୍ଦୀର ବିରଳ ଯୁଗ୍ମ ମନ୍ଦିରର ଐତିହ୍ୟକୁ ବିଶ୍ୱ ଦରବାରରେ ଆଦୃତ ପାଇଁ ପ୍ରଚେଷ୍ଟା କରାଯାଇଛି ।

ଓଡିଶା ତଥା ବୌଦ୍ଧ ଜିଲ୍ଲାର ଇତିହାସର ମୂକସାକ୍ଷୀ ଗନ୍ଧରାଡିର ହରିହରଙ୍କ ଯୁଗ୍ମ ପୀଠ । ଅଷ୍ଟମ ଶତାବ୍ଦୀରେ ଭଞ୍ଜ ବଂଶୀୟ ରାଜାଙ୍କ ଏହି ଅନନ୍ୟ କୀର୍ତ୍ତି ଶହ ଶହ ବର୍ଷ ଧରି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଆସୁଛି । ଅଠର ଗଣ୍ଡା ଦେଉଳ ବା 72 ଗୋଟି ମନ୍ଦିର ମଧ୍ୟରେ ଏହି ହରିହରଙ୍କ ମନ୍ଦିର ଅତ୍ୟନ୍ତ ଶୋଭା ପାଉଥିବା ନେଇ ଅନେକ କାବ୍ୟ ଶାସ୍ତ୍ରରେ ବର୍ଣ୍ଣନା ରହିଛି । ନୀଳମାଧବ ଉପାସନାର ଉନ୍ମେଷ ଭୂମି ଭାବରେ ଗନ୍ଧରାଡିର ହର ବା ବିଷ୍ଣୁ ମନ୍ଦିରକୁ ଗ୍ରହଣ କରାଯାଉ ଥିବାବେଳେ ଚାରିଶମ୍ଭୁ ଭାବରେ ପରିଚିତ ଏହି ଅଞ୍ଚଳରେ ସୋମବଂଶୀ ଶାସକମାନେ ଦଣ୍ଡ ନାଚର ଆରମ୍ଭ କରିଥିବା ଜଣାଯାଏ ।

ଗୋଟିଏ ମଣ୍ଡପ ଉପରେ ଦୁଇଟି ଭିନ୍ନ ଉପାସନାର ଭବ୍ୟ ମନ୍ଦିର ସାରା ଦେଶରେ ବିରଳ । ଗଡଜାତ ଶାସନ କାଳରେ ମଧ୍ୟ ଅନେକ ବ୍ରିଟିଶ ଐତିହାସିକ ଗବେଷକ ଏହି ସ୍ଥାନକୁ ଆସି ଅନେକ ସନ୍ଦର୍ଭ ରଚନା କରିଛନ୍ତି । ପରିବର୍ତ୍ତିତ ସମୟରେ ଏହି ଐତିହ୍ୟ ପୂର୍ଣ୍ଣ ପୀଠଟି ଅବହେଳିତ ହୋଇ ଯାଇଥିଲା । ଗନ୍ଧରାଡିର ଏହି ହରିହର ମନ୍ଦିର କେନ୍ଦ୍ର ପତ୍ନତ୍ତତ୍ବ ବିଭାଗ ଅଧିନରେ କେବଳ ନାମକୁ ମାତ୍ର ରହିଲା ଭଳି ମନେ ହୋଇଥାଏ ।ଏହାର ପ୍ରଚାର ପ୍ରସାର କିମ୍ବା ବିକାଶ ଦିଗରେ ପ୍ରଚେଷ୍ଟା ହୋଇପାରୁନଥିଲା । ତେଣୁ ଅଞ୍ଚଳବାସୀ ଏହି ପୀଠର ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିବା ସହିତ ଅଞ୍ଚଳର ଲୁପ୍ତ ପ୍ରାୟ ପାରମ୍ପରିକ ଲୋକକଳାକୁ ପୁନର୍ଜୀବିତ ପାଇଁ ଗନ୍ଧରାଡି ଲୋକକଳା ମହୋତ୍ସବର ଆୟୋଜନ କରିଆସୁଛନ୍ତି ।

ଚଳିତ ବର୍ଷ ପାଞ୍ଚ ଦିନ ଧରି ଏହି ମହୋତ୍ସବ ଜଗତୀ ହାଇସ୍କୁଲ ପଡିଆରେ ମହାଆଡମ୍ବର ସହକାରେ ପାଳନ କରାଯାଇଥିଲା । ଯେଉଁଠି ବୌଦ୍ଧ ଜିଲ୍ଲାର ପାରମ୍ପରିକ ଲୋକକଳା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନର କଳାକାରମାନେ ନିଜ କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ବିଶେଷ ଭାବରେ ବୌଦ୍ଧ ଅଞ୍ଚଳର ପତର ଶଉରା, ଝାଲିଆ ଶବର, ଘୁବୁକୁଡୁ, ନଚନିଆ, ଦଣ୍ଡ ସୁଆଙ୍ଗ ଭଳି ବିଭିନ୍ନ ଲୋକକଳାକୁ ମଞ୍ଚରେ ପ୍ରଦର୍ଶନ କରାଯାଇଥିଲା । ଉଦଯାପନୀ ସଂଧ୍ୟାରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ, କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଉପଜିଲ୍ଲାପାଳ ରବୀନ୍ଦ୍ର କହଁର, ବୌଦ୍ଧ ନଗରପାଳ ମୃତୁଞ୍ଜୟ ମିଶ୍ର ପ୍ରମୁଖ ଅତିଥି ନୀଳମାଧବ ପୀଠର ଐତିହ୍ୟ କୁନେଇ ନିଜ ଅଭିମତ ରଖିଥିଲେ ।

ଗୋଟିଏ ପଟରେ ମହୋତ୍ସବ ମଣ୍ଡପରେ ଲୋକକଳାକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଅନ୍ୟପଟରେ ମହୋତ୍ସବ ପଡିଆରେ ଖୋଲା ଯାଇଥିବା ବିଭିନ୍ନ ଷ୍ଟଲରେ ବିଭିନ୍ନ ପାରମ୍ପରିକ ଖାଦ୍ୟ ଓ ହାତ ତିଆରି ସାମଗ୍ରୀ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥିଲା । ଜିଲ୍ଲାର କଳାଗ୍ରାମ ଭାବରେ ପରିଚିତ ନାରାୟଣନଗର ଅଞ୍ଚଳର ମହିଳା ଗୋଷ୍ଠୀଙ୍କ ହାତ ତିଆରି ବାନ୍ଧ କାରିଗରୀ ଦେଖିବାକୁ ଓ କିଣିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details